କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ପାରଳା ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗସ୍ତରେ ଆଜି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ପ୍ରମୁଖ ବିଜୟ କୁମାର ପଟ୍ଟନାୟକ ଆସିଥିବାର ଜଣାପଡିଛି । ଶ୍ରୀ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ସହରର ପ୍ରାରମ୍ଭରେ ଦଳୀୟ କର୍ମୀମାନେ ଏକ ପଟୁଆରେ ସ୍ୱାଗତ କରିଥିବା ବେଳେ ମୋଟର ସାଇକେଲ ରାଲି କରି ଜିଲ୍ଲା କଂଗ୍ରେସ ଭବନକୁ ଯାଇଥିଲେ । ଏ ମଧ୍ୟରେ ଗାନ୍ଧୀ ଛକ ଠାରେ ଥିବା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଗୌରହରି ପାଠାଗାରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ନିକଟକୁ ମଧ୍ୟ ଯାଇଥିଲେ । ଏହାପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କର୍ମୀ ଓ ନେତାମାନଙ୍କୁ ନେଇ ଦଳୀୟ ସାଂଗଠନିକ ବୈଠକରେ ଯୋଗଦେଇଥିଲେ । ଜିଲ୍ଲାରେ କଂଗ୍ରେସ ଦଳକୁ ଅଧିକା ମଜବୁତ କରାଇବା, ଏକଜୁଟ ହୋଇ କାମକରିବା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକପରେ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ, ବରିଷ୍ଠ କଂଗ୍ରେସ ନେତା ଜୟ ମୋହନ ରାଓ, ଅଭିମନ୍ୟୁ ପଣ୍ଡା, ବସନ୍ତ କୁମାର ପଣ୍ଡା, ସଞ୍ଜୟ ଅଧିକାରୀ, ସୂର୍ଯ୍ୟନାରାୟଣ ପାତ୍ର ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।


