କନ୍ଧମାଳ ଜିଲାର ସମସ୍ୟା ଓ ସମାଧାନ ପାଇଁ ମିଡିଆ ଫୋରମର ଆଲୋଚନାଚକ୍ର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ବାଧୀନତାର ୭୫ ବର୍ଷ ପରେ ବି କନ୍ଧମାଳ ଏକ ପଛୁଆ ଜିଲା ହୋଇରହିଛି। ମୁଣ୍ଡପିଛା ଆୟରେ ରାଜ୍ୟରେ ତଳୁ ଦୁଇ ସ୍ଥାନରେ ଥିବା ବେଳେ ସାକ୍ଷରତା ହାର ରାଜ୍ୟ ହାର ଠାରୁ କମ ରହିଛି। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ କନ୍ଧମାଳ ଜିଲା ମିଡିଆ ଫୋରମ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି।ସଭାପତି ସୁନୀଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଆଇନଜୀବୀ ପ୍ରମୁଖ ଯୋଗ ଦେଇ ଜିଲାର ବିକାଶ ପାଇଁ ନିଜର ମତ ରଖିଛନ୍ତି। ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟ କର୍ମଚାରୀ ଅଭାବ, ସର୍ବ ପୁରାତନ ସରକାରୀ କଲେଜର ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର, ଅଧ୍ୟାପକ ଅଭାବ, ଗୋପାଳପୁର-ସମ୍ବଲପୁର ରେଳପଥର ଅନିଶ୍ଚିତତା, ଶିଳ୍ପ ସ୍ଥାପନ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ନେଇ ଉଦାସୀନତା ଉପରେ ଚିନ୍ତା ପ୍ରକଟ କରିଥିଲେ ବକ୍ତା। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଅବହେଳା କନ୍ଧମାଳ ଜିଲାର ବିକାଶ ଦିଗରେ ପ୍ରତିବନ୍ଧକ ବୋଲି ସମସ୍ତେ ମତ ରଖିଥିଲେ। ତେଣୁ ସାମାଜିକ ସଂଗଠନମାନଙ୍କୁ ଏ ଦିଗରେ ଆଗେଇ ଆସି ସାମୂହିକ ସ୍ତରରେ ପ୍ରୟାସ କରିବାକୁ ପଡିବ ବୋଲି ମତ ପ୍ରକାଶ ପାଇଥିଲା। ବିଭିନ୍ନ ଦାବି ସହ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଲୋଚନାଚକ୍ରରେ ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା, ମିଳିତ ନାଗରିକ ମଞ୍ଚର ଉପସଭାପତି ନବକିଶୋର ରଥ, ସମ୍ପାଦକ ପ୍ରଣବ କୁମାର ମଣ୍ଡଳ, ବଣିକ ସଙ୍ଘର ସଭାପତି ଅଶୋକ କୁମାର ପଟ୍ଟନାୟକ, କାଉନସିଲର ରମେଶ ଚନ୍ଦ୍ର ମହାନ୍ତି, ଫୋରମର ଉପଦେଷ୍ଟା ସନ୍ତୋଷ କୁମାର ଦିଗାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ରାଧାମୋହନ ମହାପାତ୍ର, ଅଶୋକ ମହାନ୍ତି , କର୍ମଚାରୀ ନେତା ବ୍ରଜ ପଟ୍ଟନାୟକ, ଆଇନଜୀବୀ ରମେଶ ମହାନ୍ତି, ସୁରଞ୍ଜନ ନାୟକ, ଅନନ୍ତ ଚରଣ ମିଶ୍ର ଗିରିଶ ପଟ୍ଟନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଲୋଚନାଚକ୍ରକୁ ବ୍ରଜ ବିହାରୀ ନନ୍ଦ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ