କନ୍ଧମାଳ ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଆୟୋଜିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଝାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ଓ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଅନୁକୂଲ୍ୟରେ ଡିଜିଟାଲ୍ ଦେୟ, ନଗଦବିହୀନ କାରବାର, ସାଇବର ଠକେଇ ଏବଂ କ୍ଷୁଦ୍ର ସଞ୍ଚୟର ବିଭିନ୍ନ ଲାଭଦାୟକ ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତି କରଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ନିରାପଦ ସଞ୍ଚୟ ଓ ସୁରକ୍ଷିତ ଭବିଷ୍ୟତ ଉପରେ ଆଲୋଚନା କରାଯାଇଥିଲା। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା, ଖର୍ଚ୍ଚ କରିବା ପୂର୍ବରୁ ସଞ୍ଚୟ କରିବା, ସବୁଠାରୁ ଭଲ ଓ ସୁରକ୍ଷିତ ସଞ୍ଚୟ ହେଲା ସ୍ୱଳ୍ପ ସଞ୍ଚୟ, ଏବଂ ୬ ଗୋଟି ଅତ୍ୟାବଶ୍ୟକ ଖର୍ଚ୍ଚ ହେଲା ଖାଦ୍ୟ, ପୋଷାକ, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଞ୍ଚୟ। ଏବେ ସଞ୍ଚୟ କରନ୍ତୁ ଏବଂ ଭବିଷ୍ୟତରେ ଖୁସିରେ ରୁହନ୍ତୁ ବୋଲି ଶିବିରରେ ଆଲୋଚନା କରାଯାଇଥିଲା। ସେହିପରି ଠକାମି ଓ ପଶ୍ଚାତାପରୁ ମୁକ୍ତ ରହିବାକୁ ହେଲେ ଯେ କୌଣସି ସନ୍ଦିଗ୍ଧ ଅଣ ବ୍ୟାଙ୍କିଙ୍ଗ, ବେସରକାରୀ, ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଦୁରେଇ ରହିବା ଆବଶ୍ୟକ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ, ସର୍ବନିମ୍ନ ୨ ହଜାର ଟଙ୍କା ସ୍ୱଳ୍ପ ସଞ୍ଝୟ ଯୋଜନା ମାଧ୍ୟମରେ, ଓଡ଼ିଶା ସ୍ଥିତ ଯେ କୌଣସି ଡାକଘର କିମ୍ବା ବ୍ୟାଙ୍କରେ ସଞ୍ଚୟ କରି ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଉଠାଣରେ ଅଂଶ ଗ୍ରହଣ କରି ଭାଗ୍ୟଶାଳୀ ବିଜେତା ହେବାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା । କାରଣ ଏହି ଉଠାଣରେ ଭାଗ୍ୟଶାଳୀ ବିଜେତାଙ୍କୁ ସର୍ବୋଚ୍ଚ ୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହା ମନେ ରଖିବା ଦରକାର ଯେ, ଅସ୍ୱାଭାବିକ ଏବଂ ଅଧିକ ସୁଧ ପ୍ରଦାନର ପ୍ରତିଶୃତି ତଥା ଖୁବ୍ କମ୍ ଦିନରେ ମୂଳଜମା ବହୁଗୁଣ ହୋଇଯିବାର ପ୍ରଲୋଭନ ପ୍ରଦାନ ଠକାମିର ପ୍ରାଥମିକ ଲକ୍ଷଣ ବୋଲି କୁହାଯାଇପାରେ। କୌଣସି ସଂସ୍ଥାରେ ଅର୍ଥ ଜମା କଲା ପୂର୍ବରୁ ସଂସ୍ଥାର ବିଶ୍ୱାସନିୟତା ଭଲଭାବେ ପରଖି ନେବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ଡାକଘର ଓ ବାଣିଜ୍ୟିକ ବ୍ୟାଙ୍କ ମାନଙ୍କରେ ଉପଲବ୍ଧ ସ୍ୱଳ୍ପ ସଞ୍ଚୟ ଯୋଜନା ଗୁଡ଼ିକ ଅର୍ଥନିବେଶ ପାଇଁ ବେଶ ସରଳ, ସୁରକ୍ଷିତଓ ଉକୃଷ୍ଟ ଜମା ଯୋଜନା ବୋଲି ବକ୍ତାମାନେ କହିଥିଲେ। ଆଜିର ଏହି ଶିବିରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟ ପରିଚାଳକ,ବିକ୍ରୟ ଏବଂ ବ୍ୟବସାୟ ବିକାଶ, ଫୁଲବାଣୀ ବିଷ୍ନୁ କୁମାର ସାହାଣୀ , ଫୁଲବାଣୀ ବ୍ଲକ ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ ଚନ୍ଦ୍ର ପାଳ, ଫୁଲବାଣୀ ମୁଖ୍ୟ ଡାକଘର ପୋଷ୍ଟ ମାଷ୍ଟର ଲଳିତ ଚନ୍ଦ୍ର ବେହେରା, ଆର୍ଥିକ ସାକ୍ଷରତା ପରାମର୍ଶ ଦାତା ଅଭିରାମ ନନ୍ଦ, ଫୁଲବାଣୀ ମୁଖ୍ୟ ଡାକଘର ସହକାରୀ ପୋଷ୍ଟମାଷ୍ଟର ଉମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ,ବ୍ଲକ ସ୍ତରୀୟ ମହିଳା ସଦସ୍ୟା ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ