କମ୍ୟୁନିଷ୍ଟ ନେତା ଉମେଶ ସିଂହଙ୍କ ଜୀବନୀ ଉନ୍ମୋଚିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ସିଂହଙ୍କ ଦୀର୍ଘ ୬ ଦଶନ୍ଧି ବ୍ୟାପି ନିରନ୍ତର ସଂଗ୍ରାମୀ ଜୀବନ ଆଧାରିତ ପୁସ୍ତକ “ସଂଗ୍ରାମର ଅନ୍ୟନାମ ଉମେଶ ଚନ୍ଦ୍ର” ଉନ୍ମୋଚିତ ହୋଇଯାଇଛି । ସାମ୍ବାଦିକ ଆଶିଷ ସେନାପତିଙ୍କ ରଚିତ ଏହି ଜୀବନୀ ପୁସ୍ତକା ଉନ୍ମୋଚନ ଉପଲକ୍ଷେ ଗରାପୁରସ୍ଥିତ ହୋଟେଲ ଦି ପ୍ୟାଲେସ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ପ୍ରାକ୍ତନ ରାଜ୍ୟ ସମ୍ପାଦକ ଜନାର୍ଦ୍ଦନ ପତି, ପ୍ରାକ୍ତନ ପଟ୍ଟାମୁଣ୍ଡାଇ ବିଧାୟକ ରାଧାକାନ୍ତ ସେଠୀ, କେନ୍ଦ୍ରାପଡା ପୋରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ତାଙ୍କର ସାଧାରଣ ମଣିଷ ମାନଙ୍କର ସ୍ୱାର୍ଥ ପ୍ରତି ପ୍ରତିବଦ୍ଧତା ଏବଂ ସେହି ଲକ୍ଷ୍ୟରେ ଧାରାବାହିକ କର୍ମ ତତ୍ପରତା ଯୁବ ପିଢି ପାଇଁ ପ୍ରେରଣାଦାୟକ ବୋଲି ମତ ପ୍ରକାଶ କରିଥିଲେ । ଛାତ୍ର ଜୀବନରୁ ସାମ୍ୟବାଦୀ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ଆଜି ୮୦ବର୍ଷ ବୟସରେ ପଦାର୍ପଣ କରିଥିବା ଶ୍ରୀ ସିଂହ ଜଣେ ସଫଳ ଆଇନଜୀବୀ ଭାବରେ ସମସ୍ତଙ୍କର ଆଦର ଓ ସମ୍ମାନ ପାଇଥାନ୍ତି ବୋଲି ଏହି ଅବସରରେ ଅତିଥିମାନେ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧନା କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସି.ପି.ଏମ. ଜିଲ୍ଲା ସମ୍ପାଦକ ଗୟାଧର ଧଳ ଅତିଥି ପରିଚୟ, ଆଇନଜୀବୀ ସ୍ମୃତିରଞ୍ଜନ ସିଂହ ଧନ୍ୟବାଦ ଅର୍ପଣ ଏବଂ ମୁକ୍ତାର ଖାଁ ସଭାର ଆଭିମୁଖ୍ୟ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଭାବଗ୍ରାହୀ କଳାନିକେତନ ପକ୍ଷରୁ ଉଦଘାଟନୀ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଜିଲ୍ଲା ସର୍ବୋଦୟ ମଣ୍ଡଳ, ଜିଲ୍ଲା ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ଘର, ଆମ ଗାଁ ସାହିତ୍ୟ ପରିଷଦ, ଜିଲ୍ଲା ବିକାଶ ସାମୁଖ୍ୟ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ପ୍ରଭୃତି ସଂଗଠନ ପକ୍ଷରୁ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ସୁସ୍ଥ ନିରାମୟ ତଥା ଚଳଚଞ୍ଚଳ ଜୀବନ କାମନା କରାଯାଇଥିଲା ।


