କରୋନା ପ୍ରତିରୋଧ ପାଇଁ ଧାର୍ମିକ ଅନୁଷ୍ଠାନମାନଙ୍କର ସକ୍ରିୟ ସହଯୋଗ କାମନା କଲେ ଉପଜିଲ୍ଲାପାଳ
ଚମ୍ପୁଆ:ସମ୍ପ୍ରତି ବିଶ୍ୱରେ କରୋନା ଭାଇରସ୍ କୋଭିଡ୍-୧୯ ମହାମାରୀର ରୂପ ନେଇଥିବା ବେଳେ ଏହାର ପ୍ରତିରୋଧ ପାଇଁ ପ୍ରତିଟି ବ୍ୟକ୍ତି, ସମାଜର ପ୍ରତି ବର୍ଗର ଜନସାଧାରଣଙ୍କର ଭୂମିକା ଏକାନ୍ତ ଆବଶ୍ୟକ ବୋଲି ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ କହିବା ସହିତ ଧାର୍ମିକ ଅନୁଷ୍ଠାନର କର୍ମକର୍ତାମାନେ ଏ ଦିଗରେ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଆଜି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତାଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଘାତକ କରୋନା ଭାଇରସ୍ କୋଭିଡ୍-୧୯ର ପ୍ରତିରୋଧ ପାଇଁ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ/ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରାଇ ଏହାକୁ ଅନୁପାଳନ କରିବା ସହିତ ଏପରି ବିପତିର ପ୍ରତିରୋଧର ଉଦ୍ଦେଶ୍ୟରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟାନ୍ୟ ଧାର୍ମିକସ୍ଥଳ ମାନଙ୍କରେ ସାମାଜିକ ଦୂରତା ବଜାୟ ରଖିବା ସହ ଜନସମାଗମ ବାରଣ ପାଇଁ ବିହିତ ପଦକ୍ଷେପ ନେବାକୁ ଧାର୍ମିକ ଅନୁଷ୍ଠାନର କର୍ମକର୍ତାଙ୍କୁ କହିଥିଲେ । ଏ ଦିଗରେ ଧାର୍ମିକ ଅନୁଷ୍ଠାନମାନଙ୍କର କର୍ତୃପକ୍ଷ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ତଥା ରାଜ୍ୟରେ କୋରୋନା ଭାଇରସ୍ ସଂକ୍ରମଣ ପ୍ରତିରୋଧ ପାଇଁ ବର୍ତମାନ ସମୟ ଅତି ଗୁରୁତ୍ୱପୂର୍ଣ୍ଣ । ଏଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜନସାଧାରଣ ଜନଗହଳିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଧାର୍ମିକ ଅନୁଷ୍ଠାନମାନଙ୍କରେ ଜନସମାଗମକୁ ବାରଣ କରାଯାଇଛି ବୋଲି ଉପଜିଲ୍ଲାପାଳ ସୂଚନା ଦେବା ସହ ଏ ଦିଗରେ ଧାର୍ମିକ ଅନୁଷ୍ଠାନମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ । ଯଦି ଧାର୍ମିକ ଅନୁଷ୍ଠାନମାନଙ୍କୁ ଲୋକ ଆସନ୍ତି ତା’ହେଲେ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଯଥା- ମନ୍ଦିର/ ମସ୍ଜିଦ୍ ପରିସରରେ ଗହଳି ନ କରିବା, ଭିତରକୁ ୫ ଜଣରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ନ ଛାଡ଼ିବା, ଧାଡ଼ିରେ ୧ ମିଟରରୁ ଉର୍ଦ୍ଧ୍ୱ ଦୂରତାରେ ଛିଡ଼ା ହେବା, ମୁହଁରେ ମାସ୍କ ପିନ୍ଧିବା, ପରିସରର ପ୍ରବେଶ ଦ୍ୱାରରେ ସାବୁନ/ସାନିଟାଇଜର୍ରେ ଭଲ ଭାବେ ହାତ ଓ ପାଦ ଧୋଇବା, ଧାର୍ମିକ ଅନୁଷ୍ଠାନର କୌଣସି ଜିନିଷ ନ ଛୁଇଁବା, ହାତରେ ପ୍ରସାଦ ନ ନେଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା, ଜ୍ୱର, କାଶ, ଥଣ୍ଡାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଧାର୍ମିକ ଅନୁଷ୍ଠାନ ପରିସରକୁ ପ୍ରବେଶ ପାଇଁ ଅନୁମତି ନ ଦେବା ଇତ୍ୟାଦି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଉକ୍ତ ବୈଠକରେ ତହସିଲଦାର ଆଲୋକ କୁମାର ପଟେଲ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକଙ୍କ ସମେତ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତା ଯୋଗ ଦେଇଥିଲେ ।


