କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ଗାନ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଶନିବାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିବାର ଦେଖାଯାଇଛି । ଓଡଙ୍ଗ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୫ ଜଣ ଅନ୍ତେବାସୀଙ୍କ ସମେତ ସମସ୍ତ ଟିଏମସି ସଭ୍ୟ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ସମବେତ ସଙ୍ଗୀନ ଗାନ କରିଥିଲେ । ଅନ୍ତେବାସୀ ଖଗେଶ୍ୱର ମଣ୍ଡଳ ସଙ୍ଗୀତ ଗାନ କରିଥିବା ବେଳେ ତାହାକୁ ଅନ୍ୟମାନେ ଅନୁସରଣ କରିଥିଲେ । ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜୟକୃଷ୍ଣ ପଢିଆରୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । ସେହିପରି ଗଣିଜାଙ୍ଗ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣିଜାଙ୍ଗ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର, ନିଳୋକ ହାଇସ୍କୁଲ, ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ, ରାଣୀପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଭଗାରାମ ୟୁ.ପି.ଏମ.ଇ ସ୍କୁଲ, ବିଶଲକଣା ପ୍ରାଥମିକ ବିଦ୍ୟାଳୟ, କାଦବରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡବର୍ଚ୍ଚିକୟାଁସ୍ଥିତ ଚିନ୍ତାନାରାୟଣ ସରକାରୀ ଉପ୍ରା ବିଦ୍ୟାଳୟ, ବାଙ୍କତୀରା ଉପ୍ରା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମବେତ ସଂଗୀତ ଗାନ କରିଥିଲେ । ସେହିପରି ବିଜୁ ଯୁବବାହିନୀ, ସିଏଫଡବ୍ଲ୍ୟୁଏସଡି ସ୍ୱେଚ୍ଛାସେବୀ ସଙ୍ଗଠନ, ଜଗତଜ୍ୟୋତି ମହିଳା ମହାସଂଘ ପକ୍ଷରୁ ସମବେତ ସଙ୍ଗୀତ ଗାନ କରାଯାଇଥିଲା ।


