କରୋନା ସଂକ୍ରମଣରୁ ମୁକ୍ତ ଓ ଜିଲ୍ଲାପାରଙ୍କୁ ରୋକ୍ ପାଇଁ ୧୮ଗୋଟି ଆନ୍ତଃରାଜ୍ୟ ଓ ଜିଲ୍ଲା ସୀମାରେ ସିସିଟିଭି ବ୍ୟବସ୍ଥା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ କରୋନା ସଂକ୍ରମଣରୁ ମୁକ୍ତ ଏବଂ ଜିଲ୍ଲା ମଧ୍ୟକୁ ଅବାଧ ପ୍ରବେଶ ଓ ପାର ଲୋକଙ୍କୁ ରୋକ୍ ପାଇଁ ଜିଲ୍ଲାରେ ନାକାବନ୍ଦୀ ହୋଇଥିବା ୧୮ଗୋଟି ସୀମାରେ ସିସିଟିଭି ବ୍ୟବସ୍ଥା ଲାଗୁ ହେଲା । ଗଜପତି ଏସପି ସାରା ଶର୍ମା ଏହା ସୁଚନା ଦେଇ କହିଛନ୍ତି ଯେ,ଗଜପତି ଜିଲ୍ଲାର ୧୮ ଗୋଟି ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ପ୍ରବେଶପଥକୁ ନାକାବନ୍ଦୀ ବା ସିଲ୍ କରାଯାଇଛି । ତଥାପି କେତେକ ଅମାନିଆ ବ୍ୟକ୍ତିବିଶେଷ ବିଭିନ୍ନ ଆଳ ଦେଖାଇ ଗଜପତିରୁ ବାହାରକୁ ଏବଂ ଆନ୍ଧ୍ର ଓ ଅନ୍ୟ ଜିଲ୍ଲାରୁ ଗଜପତିକୁ ଅବାଧ ପ୍ରବେଶ ଓ ପାର ହେଉଛନ୍ତି । ଏହା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ନିୟମର ଉଲଂଘନ ହେଉଛି । ଅପର ପକ୍ଷରେ ନାକାବନ୍ଦୀ ସତ୍ୱେ ଲୋକେ ଜିଲ୍ଲାରୁ ବାହାରକୁ ଯିବା ଏବଂ ଅବାଧ ପ୍ରବେଶ କରିବା ଆଦି ଯୋଗୁଁ କରୋନା ସଂକ୍ରମଣ ଦେଖାଦେବାର ଆଶଙ୍କା ରହିଛି । ତେଣୁ ଗଜପତି ଜିଲ୍ଲାକୁ କରୋନା ସଂକ୍ରମଣରୁ ମୁକ୍ତ କରି ସାଧାରଣଙ୍କୁ ସୁରକ୍ଷା ଦେବା ସହ ବେଖାତିର କରି ଗଜପତିକୁ ଅବାଧ ପ୍ରବେଶ ଓ ପାର ହେଉଥିବା ବ୍ୟକ୍ତିଙ୍କୁ ସମ୍ପୁଣ୍ଣ ନିୟନ୍ତ୍ରଣ ଏବଂ ସମସ୍ତ ଗତିବିଧିର ସ୍ପଷ୍ଟାତା ପାଇଁ ଜିଲ୍ଲାର ୧୮ ଗୋଟି ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ପ୍ରବେଶପଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ମହେନ୍ଦ୍ରତନୟା ବ୍ରିଜ ଅଞ୍ଚଳରେ ଏବଂ ରାମସାଗର ଛକ,କାଶୀନଗର ବ୍ଲକର ହାଡୁଭାଙ୍ଗି ଓ ସୀତାପୁର ଛକ ଏବଂ ଗୋଷାଣୀ ବ୍ଲକର ଦେବିତୀ ଓ ଲାବାଣ୍ୟଗଡ ଆଦି ୬ ଗୋଟି ସ୍ଥାନରେ ସିସିଟିଭି କାର୍ଯ୍ୟାରମ୍ଭ କଲାଣି । ଅନ୍ୟ ପ୍ରବେଶପଥ ଗୁଡିକରେ ଅତି ତୁରନ୍ତ ଏହି ସିସିଟିଭି ଗୁଡିକୁ ଲଗାଯିବ । ପ୍ରବେଶପଥ ଓ ସିସିଟିଭି ଲାଗିଥିବା ଅଞ୍ଚଳରେ ଏକ ଗାର୍ଡ ରୁମ୍ ରହିବ । ଏଠାରେ ୨୪ଘଣ୍ଟିଆ ପୋଲିସ ସଜାଗ ରହି ସିସିଟିଭି ଦ୍ୱାରା ସମସ୍ତ ଗତିବିଧିକୁ ଅନୁଧ୍ୟାନ କରାଯିବ । ବେଖାତିର ଓ ଅମାନ୍ୟ କରୁଥିବା ଅବାଧ ପ୍ରବେଶକାରୀ ଓ ଜିଲ୍ଲାରୁ ଅବାଧ ପାର ହେଉଥିବା ଲୋକଙ୍କୁ ଜବତ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସର୍ବୋପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ନିୟମ ଗଜପତିରେ ଠିକ୍ ଭାବେ ପାଳନ ହେବା ସହ ଗଜପତି ଜିଲ୍ଲାକୁ କରୋନା ସଂକ୍ରମଣରୁ ମୁକ୍ତ କରି ସାଧାରଣଙ୍କୁ ସୁରକ୍ଷା ଦିଆଯିବ ।


