କାଟାମାଟି ଖଣିରେ ତେଜୁଛି ବିବାଦ , ୩୩ ଆନ୍ଦୋଳନକାରୀ ଥାନାରେ ଅଟକ

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ରେଭେନସାପୁର (ଖ). ଧୋବାକୁଚୁଡା ଗ୍ରାମର ଅଲେଖ କୁମାର ବାରିକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବା ଧମକ ଦିଆଯାଇଥିବା ନେଇ ସେ ଯୋଡା ଥାନାରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଅଲେଖ କୁମାର ବାରିକ ଭାରତୀୟ ଜନତା ପାର୍ଟିର ୨୮ ନଂ ଜୋନ୍ ବିଲେଇପଦା ମଣ୍ଡଳର ସଭାପତି ଅଛନ୍ତି । କାଟାମାଟି ଖଣିରେ ବିଭିନ୍ନ ଦାବି କରି ସ୍ଥାନୀୟ ୫ ଟି ଗ୍ରାମପନଚାୟତର ଲୋକ ଦୀର୍ଘ ୧ମାସ ହେବ ଧାରଣାରେ ବସିଛନ୍ତି । ଏହି ଗଣଧାରଣାକୁ ଭାଜପା ପକ୍ଷରୁ ସହ ଯୋଗ କରାଯାଉଥିବାରୁ ଅଲେଖ କୁମାର ବାରିକ ଏହାକୁ ସମର୍ଥନ ଜଣାଇଥିଲେ । ଏହାକୁ ବିରୋଧ କରି ରବିବାର ସନ୍ଧ୍ୟା ବେଳେ ସ୍ଥାନୀୟ କାଟାମାଟି ଖଣିରେ ପରିବହନ କାର୍ଯ୍ୟ କରୁଥିବା ଗାଡିମାଲିକମାନେ ଅଲେଖ ବାରିକଙ୍କୁ ଡକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମରାଯିବାର ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ କାଟାମାଟି ଖଣିର ପରିବହନ କାର୍ଯ୍ୟ ବନ୍ଦକୁ ବିରୋଧ କରୁଥିବା ସ୍ଥାନୀୟ ଗାଡିମାଲିକଙ୍କୁ ଅଲେଖ କୁମାର ବାରିକ ପରିବହନ କାର୍ଯ୍ୟରେ ଗାଡି ନଲଗାଇବା ପାଇଁ ଧମକ ଦେଇଥିବା ନେଇ ମଙ୍ଗଳବାର ଗାଡିମାଲିକମାନେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଉଭୟ ପକ୍ଷର ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ କି, କାଟାମାଟି ଖଣିର ସ୍ଥାନୀୟ ଅଂଚଳବାସୀ ଧାରଣାରେ ବସିଛନ୍ତି । ଆଇନ୍ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ପୋଲିସ ଧାରଣାସ୍ଥଳରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ସିଆରପିସି ୧୫୧ ଧାରା ରୁଜୁ କରି ବୁଧବାର ୩୩ ଜଣ ଆନ୍ଦୋଳନକାରୀଙ୍କୁ ଥାନାରେ ଅଟକ ରଖିଥିବା ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ