ନାଉଗାଁ ବ୍ଳକ ପ୍ରଶାସନର ଅପାରଗତା , ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ଗ୍ରାମାଂଚଳରେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ କରାଯାଇଥିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ପ୍ରତି ପଂଚାୟତରେ ଉନ୍ନତିମୂଳକ କାର୍ଯ୍ୟ କରିବା । ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଯୋଜନା କରାଯାଇଥିଲା । ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ରାଜ୍ୟ ସଚିବାଳୟରୁ ଟେଲିଭିଜନର ସିଧାପ୍ରସାରଣରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉନ୍ନୋଚନ କରିଥିଲେ । ଏହି ଯୋଜନା ଉନ୍ମୋଚନ ହେବାର ୭ ମାସ ବିତି ଯାଇଥିଲେ ମଧ୍ୟ ନାଉଗାଁ ବ୍ଳକ ପ୍ରଶାସନର ଅପାରଗତା ଯୋଗୁଁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ସୂଚନା ଅନୁଯାଇ ଏହି ବ୍ଲକର ୧୬ଟି ପଂଚାୟତ ପାଇଁ ୧୫୪ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟିତ କରିଥିଲେ । ଏହି ପ୍ରକଳ୍ପ ମଧ୍ୟରେ ମିଶନ ଶକ୍ତି ଗୃହ, ବାସୁଦେବ ଗାଦି, ଗୋଷ୍ଠୀ କେନ୍ଦ୍ର, ଖୋଳା ପୋଖରୀ ନବୀକରଣ, ଗାଧୁଆ ତୁଠ ଓ ପୋଷାକ ବିତରଣ ଗୃହ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ରହିଛି । ଏହି ପ୍ରକଳ୍ପକୁ ଜନସାଧାରଣଙ୍କୁ ଅବଗତି କରାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସ୍ଥାନୀୟ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପଡିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତକ୍ରାଳିନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକର ପ୍ରତ୍ୟେକ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ,ବିଜୁ ଯୁବ ବାହିନୀଙ୍କ ସହ ପ୍ରତ୍ୟେକ ପଂଚାୟତର ଜନସାଧାରଣମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଟେଲିଭିଜନର ସିଧାପ୍ରସାରଣରେ ଉନ୍ମୋଚନ କରିବା ପରେ ବ୍ଲକର ୧୬ଟି ପଂଚାୟତ ପାଇଁ ୧୫୪ଟି ପ୍ରକଳ୍ପ ପାଇଁ ୪ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ପ୍ରତି ପଂଚାୟତ ପିଛା ୨୫ ଲକ୍ଷ ଟଙ୍କା ଲେଖାଏଁ ରହିଛି । କିନ୍ତୁ ଏହି ଯୋଜନା ଜଗତସିଂହପୁର ଜିଲ୍ଲା ଅନ୍ୟ ବ୍ଲକ ଗୁଡିକରେ କାର୍ଯ୍ୟ ଶେଷ ହେବାକୁ ବସି ଥିବା ବେଳେ ନାଉଗାଁ ବ୍ଳକରେ ଫାଇଲି ଖୋଲା ହୋଇ ଚାପି ହୋଇ ରହିଛି । ସରକାରଙ୍କ ଦ୍ୱାରା ପ୍ରଦତ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଦୀର୍ଘ ଦିନ ହେବ କାର୍ଯ୍ୟକ୍ଷମ ନହେବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ନାଁ ପ୍ରଶାସନିକ ଅପାରଗତାକୁ ନେଇ ହୋଇପାରୁ ନାହାଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ସଂର୍ପକରେ ଜିଲ୍ଲା ପଂଚାୟତରାଜ ଅଧିକାରୀଙ୍କ ପତିକ୍ରିୟା ନେବାରୁ ଏ ସମସ୍ତ ବିଷୟ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସଠିକ କହି ପାରିବେ ବୋଲି କହିଥିଲେ । ଏ ବିଷୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


