କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ବୁଧବାର ପୂର୍ବାହ୍ନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମାଘ ବୁଡ ନିମନ୍ତେ ଚନ୍ଦ୍ରଭାଗା ଠାରେ ଡ୍ରେନେଜ ବିଭାଗ ପକ୍ଷରୁ ଖନନ କରାଯାଉଥିବା ତୀର୍ଥ ପୁଷ୍କରିଣୀର କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଖବରରୁ ପ୍ରକାଶ ଯେ ଆସନ୍ତା ଫେବୃୟାରୀ ୬ତାରିଖ ମାଘ ଷଷ୍ଠୀ ପଡୁଥିବା ବେଳେ ୭ତାରିଖ ଦିନ ମାଘ ସପ୍ତମୀ ବୁଡ ଅନୁଷ୍ଠିତ ହେବ। ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ମାଘ ସପ୍ତମୀ ବୁଡ ଅନୁଷ୍ଠିତ ହେବ । ଚଳିତ ବର୍ଷ ତିନି ଠାକୁରଙ୍କ ସେବାୟତ, ନୀତିକାନ୍ତି ସହ ଜଡିତ ସୀମିତ ଶ୍ରଦ୍ଧାଳୁ ମାନଙ୍କୁ ନେଇ ତିନି ଠାକୁରଙ୍କ ସ୍ନାନ ନୀତି ଓ ବୁଡ ଅନୁଷ୍ଠିତ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଛି । ଏହି ଅବସରରେ ଡ୍ରେନେଜ ବିଭାଗ ପକ୍ଷରୁ ଖୋଳା ଯାଉଥିବା ତୀର୍ଥ ପୁଷ୍କରିଣୀ କାର୍ଯ୍ୟ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ବୁଲିବା ଦେଖିବା ସହ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଖନନ କାର୍ଯ୍ୟ ଶେଷ କରାଯାଇ ଶ୍ରୀ ପଂଚମୀ ଅବସରରେ କୋଣାର୍କ ଏନଏସିକୁ ହସ୍ତାନ୍ତର କରାଯିବ ବୋଲି ଡ୍ରେନେଜ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ପୁଷ୍କରିଣୀ ଜଳକୁ ବ୍ଲିଚିଙ୍ଗ ପକାଇ ବିଶୋଧନ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ବର୍ମା ଏନଏସି ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ପରେ ଜିଲ୍ଲାପାଳ ଶ୍ରୀ ବର୍ମା ମାଘବୁଡକୁ ଆସୁଥିବା ମାଧିପୁର ଗ୍ରାମର ତ୍ରିବେଣୀଶ୍ୱର, ସନ୍ଥପୁର ଗ୍ରାମର ଐଶାନେଶ୍ଵର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବଙ୍କ ବିଜେ ସ୍ଥଳୀ ପରିଦର୍ଶନ କରି ଆନୁଷାଙ୍ଗିକ କାର୍ଯ୍ୟ ଶେଷ କରିବା ପାଇଁ ଏନଏସି ନିର୍ବାହୀ ଅଧିକାରୀ ସୁଶ୍ରୀ ଗୋଏଙ୍କାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ଗୋପ ବ୍ଲକ ବିଡିଓ ଦୀପ୍ତିରାଣୀ ଦାସ, ଏନଏସି ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ