କାର୍କୁ ଧକ୍କା ଦେଲା ଓଭର ଲୋଡିଂ ହାଇୱା; ଅଳ୍ପକେ ବର୍ତ୍ତିଲେ ୨ ଆରୋହୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ଗଣିଜାଙ୍ଗ ବଜାର ଠାରେ ଏକ କାରକୁ ଗୋଟିଏ ଓଭର ଲୋଡିଂ ହାଇୱା ଧକ୍କା ଦେବା ଫଳରେ କାର୍ରେ ଥିବା ୨ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ବୁଧବାର ଅପରାହ୍ନ ସମୟରେ ଓଆର-୦୫ଏକେ-୫୫୫୨ ନମ୍ବର କାରଟି ଛେନାପଦୀରୁ ଭଦ୍ରକ ଅଭିମୁଖେ ଯାଉଥିଲା । ଅପରପାଶ୍ୱର୍ରୁ ଓଡି-୨୨ଏଫ-୩୧୪୧ ନମ୍ବର ଓଭର ଲୋଡିଂ ହାଇୱା ଟ୍ରକଟି କାରକୁ ଧକ୍କା ଦେଇଥିଲା । ଫଳରେ କାରଟି ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା । କାର ଭିତରେ ଥିବା ରାମ କିଙ୍କର ରାଉତ ଓ ଆଶୁତୋଷ ବିଶ୍ୱାଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକଟିକୁ ଅଟକାଇବା ସହିତ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଖବର କରିଥିବା ଜଣାଯାଇଛି ।


