କାର-ବାଇକ ମୁହାଁମୁହିଁ ,୨ ଗୁରୁତର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ଥାନା ଅନ୍ତର୍ଗତ ଶିଖର-ଗଂଗଦାହାଟ ରାସ୍ତାର ଶାଳିଜଙ୍ଗା ଶିଶୁ ବିଦ୍ୟାମନ୍ଦିର ନିକଟରେ ବୁଧବାର କାର-ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୨ ଜଣ ଗୁରୁତର ହୋଇ ପ୍ରଥମେ ନାଉଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ କଟକ ବଡ ମେଡିକାଲରେ ଭର୍ତି ହୋଇଥିବା ଜଣାଯାଇଛି ।ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ଜୈନିକ ବ୍ୟକ୍ତି ଏକ ମାରୁତି ୱାଗର୍ନ କାର ନମ୍ବର ଓଆର୦୨ବିଏସ୬୨୯୭ରେ ଶିଖରଘାଟ ଦେଇ ତାଳଦା ଗ୍ରାମକୁ ଯାଉଥିଲେ । ଏହି ସମୟରେ ମୁତୁଣିଆ ଗ୍ରାମର ସୁଧୀର ସ୍ୱାଇଁ ଓ ତାଙ୍କ ପତ୍ନୀ ଉଷାରଣୀ ସ୍ୱାଇଁ ବାଇକି ଯୋଗେ ଗଂଗଦାହାଟ ପଟୁ ଶଶୁର ଘର ବୋଦଳ ଗ୍ରାମକୁ ଯାଉଥିଲେ ।ଶାଳିଜଙ୍ଗା ଶିଶୁ ବିଦ୍ୟାମନ୍ଦିର ନିକଟରେ ଉଭୟ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ବାଇକି ଚାଳକ ପତି ସୁଧୀର ସ୍ୱାଇଁ ଓ ପତ୍ନୀ ଉଷାରଣୀ ସ୍ୱାଇଁ ଛିଟିକି ପଡି ତଳେ ପଡିଯାଇଥିଲେ । ଏହାକୁ ସ୍ଥାନୀୟ ଲୋକ ଦେଖି ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଯୋଗଯୋଗ କରିଥିଲେ । କିନ୍ତୁ ବିଫଳ ହେବା ପରେ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଉଭୟ ପତି ଓ ପତ୍ନୀଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ଜଣାଯାଇଛି । ଅନ୍ୟପଟରେ ନାଉଗାଁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଗାଡି ଦୁଇଟିକୁ ଜବତ କରିଥିବା ବେଳେ କୌଣସି ଅଭିଯୋଗ ହୋଇନଥିବା ଥାନାଧିକାରୀଙ୍କ ନିକଟରୁ ପ୍ରକାଶ କରାଯାଇଛି ।