କାଳିକା ନୃତ୍ୟ ମା ମଙ୍ଗଳା ଙ୍କ ମନ୍ଦିର ରେ ଏକ ଅନନ୍ୟ ପରମ୍ପରା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ରାଜ୍ୟ ର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ଙ୍କ ମଧ୍ୟରୁ ଅନ୍ୟତମ ଭାବେ ମାନ୍ୟତା ପାଇଛନ୍ତି। ମା ମଙ୍ଗଳା ଙ୍କ ମନ୍ଦିର ସହିତ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରହିଛି ନିବିଡ ସମ୍ପର୍କ। ମା ମଙ୍ଗଳା ଙ୍କ ମନ୍ଦିର ରେ ପୁରୀ ଶ୍ରୀ ମନ୍ଦିର ପରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତେବେ ଚୈତ୍ର ମାସ ରେ ମା ଙ୍କ ଆବିର୍ଭାବ ଦିବସ କୁ ଭକ୍ତ ମାନେ ଝାମୁଯାତ୍ରା ଭାବେ ପାଳନ କରିଥାନ୍ତି। ଚୈତ୍ର ମାସ ର ପ୍ରଥମ ମଙ୍ଗଳବାର ଠାରୁ ଚତୁର୍ଥ ମଙ୍ଗଳବାର ମନ୍ଦିର ରେ ପାଳିଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ପଞ୍ଚମ ମଙ୍ଗଳବାର ଅବା ବୈଶାଖ ମାସ ପ୍ରଥମ ମଙ୍ଗଳବାର ମନ୍ଦିର ରେ ଅନୁଷ୍ଠିତ ହୁଏ ପ୍ରସିଦ୍ଧ ଝାମୁଯାତ୍ରା। ରାଜ୍ଯ ର ବିଭିନ୍ନ ଶକ୍ତି ପୀଠ ମାନଙ୍କ ରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏକ ମାତ୍ର କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ରେ ଚୈତ୍ର ମାସର ପଞ୍ଚମ ଅବା ବୈଶାଖ ମାସ ର ପ୍ରଥମ ମଙ୍ଗଳବାର ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଚୈତ୍ର ପ୍ରଥମ ମଙ୍ଗଳବାର ଦିନ ମନ୍ଦିର ରେ ନେତୋତ୍ସବ ଅନୁଷ୍ଠିତ ହୋଇଥାଏ।ପ୍ରତି ପାଳି ଯାତ୍ରା ରେ ଘଣ୍ଟପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥାଏ। ତେବେ ତୃତୀୟ, ଚତୁର୍ଥ ଓ ପଞ୍ଚମ ମଙ୍ଗଳବାର ଦିନ ମଧ୍ଯରାତ୍ରି ସମୟ ରେ ମନ୍ଦିର ରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। ଯାହା ଏକ ଅନନ୍ୟ ପରମ୍ପରା ଭାବେ ରହି ଆସିଛି କାହିଁ କେତେ କାଳରୁ। ମା ମଙ୍ଗଳା, ମା ଦୁର୍ଗା ଓ ମା କାଳୀ ଏକ ଆଉ ମା ଙ୍କ ର ବିଭିନ୍ନ ରୂପ ବୋଲି ଭକ୍ତ ମାନସ ଙ୍କୁ ଅବଗତ କରାଇବା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ରେ କାଳୀକା ନୃତ୍ୟ ଅନୁଷ୍ଠିତ ହୋଇଥାଏ ବୋଲି ଗବେଷକ ମାନେ କୁହନ୍ତି। ମା ଙ୍କ ଜୈନିକ ଖମାରେଇ ସେବକ ସେ ଦିନ ଦିନସାରା ଉପବାସ କରିଥାଏ। ରାତ୍ରି ପ୍ରାୟ ୧୧ ଟାରେ ଦେବୀ ଙ୍କର ପୂର୍ବତନ ଗୋଶାଳା ରେ ଉକ୍ତ ସେବକ ମହାକାଳୀ ବେଶରେ ସଜ୍ଜିତ ହୋଇ ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ ର ଶବ୍ଦ ଓ ମଶାଲ ମଧ୍ୟରେ ମା ଙ୍କ ମନ୍ଦିର ଅଭିମୁଖେ ନାଚି ନାଚି ଯାତ୍ରା କରିଥାନ୍ତି। ଏକ ଥର ମନ୍ଦିର ବେଢା ପରିକ୍ରମା କରି ମନ୍ଦିର ମଧ୍ଯକୁ ପ୍ରବେଶ କରିଥାନ୍ତି। ମା ଙ୍କର ସଂନ୍ଧ୍ଯା ଆଳତି ର ପରବର୍ତ୍ତୀ ବେଶକୁ ଦର୍ଶନ କରି ମା ଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ମନ୍ଦିର ଦକ୍ଷିଣ ଦ୍ବାର ଦେଇ ବାହାରକୁ ଆସିଥାନ୍ତି। ନାନା ବାଦ୍ୟ ମଧ୍ୟରେ ଓ ଦର୍ଶକ ମାନଙ୍କ ଦ୍ଵାରା ବେଷ୍ଟିତ ହୋଇ ନାଚି ନାଚି ସେବକ ସାହି ଦାଣ୍ଡ ଦେଇ ଦେବୀ ଙ୍କ ପୂର୍ବତନ ଗୋଶାଳା ଅଭିମୁଖେ ଯାଇଥାନ୍ତି। ଗୋଶାଳା ନିକଟରେ ପହଁଚିବା ପରେ ସେଠାରେ ନିସ୍ତେଜ ହୋଇ ପତିତ ହୋଇଥାନ୍ତି । କାଳିକା ନୃତ୍ୟ ର ପରିସମାପ୍ତି ଘଟିଥାଏ।ଏହାପରେ ମା ଙ୍କ ର ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ,ବଡସିଂହାର, ଭ୍ରମଣୀ ନୀତି ଅନୁଷ୍ଠିତ ହେବାପରେ ମା’ ଙ୍କର ପହଡ ପଡିଥାଏ। କାଳିକା ନୃତ୍ୟ ମା ମଙ୍ଗଳା ଙ୍କ ମନ୍ଦିର ରେ ଏକ ଅନନ୍ୟ ପରମ୍ପରା ଭାବେ ରହି ଆସିଛି କାହିଁକେତେକାଳରୁ।ଜୟମା ମଙ୍ଗଳା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ