କାଶୀନଗରରେ ଶିକ୍ଷାର ମାନ ହ୍ରାସ ମୁଖ୍ୟମନ୍ତ୍ରୀ ଶିକ୍ଷା ଓ ଭାଷାବୃତ୍ତି ପୁରସ୍କାର ପାଇଁ କେହି ମନୋନୀତ ହେଲେନି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଶିକ୍ଷାର ମାନ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି. ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ଓ ଭାଷା ବୃତ୍ତି ପୁରସ୍କାର ପାଇଁ କାଶୀନଗର ବ୍ଲକରୁ ଜଣେ ହେଲେ ଛାତ୍ରଛାତ୍ରୀ ମନୋନୀତ ହୋଇନନଥିବା ଜଣା ପଡିଛି. ଘଟଣାରୁ ପ୍ରକାଶ, ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ୭୧୧ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ୧୫୫ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତ ପୁରସ୍କାର ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ଦଶମଶ୍ରେଣୀ ପରୀକ୍ଷା ଫଳ ଆଧାରରେ ଶିକ୍ଷା ପୁରସ୍କାର ମିଳିବାକୁ ଥିବାବେଳେ ଓଡ଼ିଆ ବିଷୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଭାଷାବୃତ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତେବେ, କାଶୀନଗର ବ୍ଲକ୍ ଓ ଏନ୍ଏସି ଅନ୍ତର୍ଗତ କୌଣସି ହାଇସ୍କୁଲର ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇନାହାନ୍ତି। ଏଭଳିକି, କାଶୀନଗର ସହରରେ ଥିବା ୭୦ ବର୍ଷ ପୁରୁଣା ବାରାଣସୀ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ବି ପୁରସ୍କାର ପାଇବାସ୍ତରକୁ ଉନ୍ନୀତ ହୋଇ ପାରିନଥିବା ବିଇଓ ଆଦିକନ୍ଦଗମାଙ୍ଗ ସ୍ପଷ୍ଟ କରିଛନ୍ତି। ଏଣୁ, କାଶୀନଗର ବ୍ଲକ୍ ଓ ଏନ୍ଏସିରେ କିଭଳି ପାଠପଢ଼ା ଚାଲିଛି ଏବଂ ଶିକ୍ଷାର ମାନ ଏତେ ନ୍ୟୁନ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି, ସିଭିଲ୍ ସୋସାଇଟି ଓ ଶିକ୍ଷାବିତ୍ମାନେ ଏଥିପ୍ରତି ଧ୍ୟାନ ଦେଇ କାଶୀନଗରରେ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଉଦ୍ୟମ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।


