ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଲୁଟେରା ଚମ୍ପଟ ମାରିଥିବା ଜଣାପଡିଛି.ଏଠାରେ ସୂଚନାଯୋଗ୍ୟଯେ ଗତକାଲି ମଙ୍ଗଳବାର ଦିନ ସ୍ପଷ୍ଟ ଦିବାଲୋକରେ ସହରର ବସଷ୍ଟାଣ୍ଡ ପରିସରରୁ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଅତର୍କିତ ଆକ୍ରମଣ କରି ସେ ବେକରେ ପିନ୍ଧିଥିବା ପ୍ରାୟ ୪ ତୋଳା ସୁନା ଅଳଙ୍କାରକୁ ଝାମ୍ପି ନେଇ ଚମ୍ପଟ ମାରିଥିବା ଜଣାପଡ଼ିଛି| ପ୍ରକାଶ ଯେ, ବସଷ୍ଟାଣ୍ଡ୍ ପରିସର ଆହାର କେନ୍ଦ୍ରରେ କାମ କରୁଥିବା ସେରିସାହିର ମହିଳା ଲତା କର୍ମକ୍ଷେତ୍ରକୁ ଯାଉଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ପଛପଟରୁ ଆସି ଧକ୍କା ମାରିଥିଲେ I ଧକ୍କାରେ ଲତା ତଳେ ପଡ଼ିଯାଇଥିଲେ | ୩ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଲତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ପୂର୍ବରୁ ବାଇକ୍ରେ ପ୍ରସ୍ତୁତ ରହିଥିବା ଅନ୍ୟ ଦୁଇ ଦୁର୍ବୃତ୍ତଙ୍କ ସହ ଝାମ୍ପି ନେଇଥିବା ଦୁର୍ବୃତ୍ତ ମୋଟର ସାଇକେଲରେ ପଳାୟନ କରିଥିଲେ | ଚଳଚଞ୍ଚଳ ଥିବା ବସଷ୍ଟାଣ୍ଡରେ ଏତେ ସଂଖ୍ୟକ ଯାତ୍ରୀ ତଥା ଜନସାଧାରଣ ଯାତାୟତ କରୁଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ କାବୁ କରିପାରି ନ ଥିବାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି. ପରେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସଦଳେବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇଛି।


