କାଶୀନଗର ପୋଲିସ ଦ୍ୱାରା ଦୁଇଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ବଂଶଧାରା ନଦୀ କୁଳ ବୁଜୁରା ବାଲି ରିୟାଫର ରୁ ଦୁଇଟି ଟ୍ରାକ୍ଟରରେ ଖାଣ୍ଡବା ଆଡକୁ ବାଲି ଯାଉଥିବାବେଳେ ପୋଲିସ ଜବତ କରିଛି | ସମ୍ପୃକ୍ତ ଡ୍ରାଇଭର ମାନଙ୍କ ନାମରେ କେଶ ନମ୍ବର ୧୧୧/୨୦ ରେ ଓ ୧୧୨/୨୦ ରୁଜୁ କରାଯିବା ସଙ୍ଗେ ସଙ୍ଗେ ସେମାଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଆଇ.ଆଇ.ସି ସୁଶାନ୍ତ ସାହୁଙ୍କ ସୂତ୍ରରୁ ପ୍ରକାଶ | ଆଗରୁ ଭି ଏଭଳି ବାଲି ଟ୍ରାକ୍ଟର କୁ ପୋଲିସ ଜବତ କରିଥିଲା | ପୋଲିସ ସୂତ୍ରରୁ ପ୍ରକାଶ ଯେ ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ୱାର୍କ ଅଡ଼ର ପାଇଥିବା ଲୋକମାନେ ଅଡ଼ର ଦେଖାଇଲେ ସେମାନଙ୍କୁ ଛାଡି ଦିଆଯାଉଛି | ବାଲି ରିୟାଫର ରସିଦ ଦେଖାଇଲେଭି କୌଣସି ଆଇନଗତ କାର୍ଯ୍ୟ ଅନୁଷ୍ଠାନ ନିଆଯାଉନାହିଁ | କୌଣସି ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିଲେ ହିଁ କେଶ କରାଯାଉଛି | ତେବେ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ ପୋଲିସ ବାଲି ଟ୍ରାକ୍ଟର ଜବତ କରୁଥିବା କଥା ସେ ଜାଣନ୍ତି ନାହିଁ ପୋଲିସ ତାଙ୍କୁ ସୂଚନା ଦେଉନଥିବା କଥା ସେ ପ୍ରକାଶ କରିଛନ୍ତି | ତେବେ ବାଲି ଆଣୁଥିବା ଲୋକଙ୍କ ଅଭିଯୋଗ ଅନୁଯାଇ କେବଳ ବଡ ଗାଡିକୁ ରସିଦ ଦିଆଯାଉଛି | ଛୋଟ ଗାଡି ଅର୍ଥାତ ଟ୍ରାକ୍ଟର କୁ ରସିଦ ଦିଆଯାଉନାହିଁ | ଏଭଳି ପରିସ୍ଥିତିରେ ମତ ପ୍ରକାଶ ପାଇଛି ଯେ ପୋଲିସ ଓ ରାଜସ୍ୱ ବିଭାଗ ମଧ୍ୟରେ ସମ୍ଭବତଃ ସମନ୍ୱୟର ଅଭାବ ରହିଛି | ମଝିରେ ରହି ସାଧାରଣ ଲୋକମାନେ ଦୁଃଖ ଭୋଗୁଛନ୍ତି | ଏଥିପାଇଁ ଲୋକଙ୍କ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି |


