କିରିଆମ୍ବା ରିଜର୍ଭ ଜଙ୍ଗଲରେ ଦୁଇ ଦଳରେ ୨୧ ହାତୀ
ବୁଗୁଡା, (ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର କିରିଆମ୍ବା ସଂରକ୍ଷଣ ଜଙ୍ଗଲକୁ ଦୁଇ ଦଳରେ ୨୧ ଟି ହାତୀ ସେପ୍ଟେମ୍ବର ୨୦ ତାରିଖ ଦିନ ପ୍ରବେଶ କରିଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି। ସେଥିପାଇଁ କିରିଆମ୍ବା ସଂରକ୍ଷଣ ଜଙ୍ଗଲର ନୂଆପଲ୍ଲୀ ଅଞ୍ଚଳର ଜନସାଧାରଣ ସତର୍କ ରହିବାକୁ ବିଭାଗୀୟ କର୍ମଚାରୀଙ୍କ ଦ୍ଵାରା ଘୋଷଣା କରାଯାଇଛି। ବୁଗୁଡା ବନାଞ୍ଚଳରେ କିଛିଦିନ ହେଲା କୌଣସି ହାତୀପଲ ନଥିବା ବେଳେ ଓଡ଼ଗାଁ ଓ ବାଲୁଗାଁ ବନାଞ୍ଚଳରୁ ୮ ଟି ହାତୀ ଥିବା ଏକ ପଲ ଓ ୧୩ ଟି ହାତୀ ଥିବା ଅନ୍ୟ ଏକ ପଲ, ଏହିପରି ମୋଟ ୨୧ ଟି ହାତୀ ବର୍ତ୍ତମାନ ବୁଗୁଡା ସଂରକ୍ଷଣ ଜଙ୍ଗଲରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଗୁଡିକୁ ଘଉଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଜନସାଧାରଣ ସମ୍ପୂର୍ଣ୍ଣ ସତର୍କ ରହିବାକୁ ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।


