କେନ୍ଦ୍ରାପଡା କଲେଜରେ ପ୍ରଶାସନିକ ସୁଧାର ପାଇଁ ସଚେତନତା ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ନେଇ ଶୁକ୍ରବାର ପୂର୍ବାହ୍ନରେ କଲେଜ ସମ୍ମିଳନୀ କକ୍ଷରେ ପ୍ରଶାସନିକ ସୁଧାର ନିମନ୍ତେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ବିଶ୍ୱ ବ୍ୟାଙ୍କ ପ୍ରକଳ୍ପର ସଂଯୋଜକ ଡଃ.ଜ୍ଞାନୀନ୍ଦ୍ର ଦାଶ, ଉପସଂଯୋଜକ ଅଧ୍ୟାପକ ରଞ୍ଜିତ କୁମାର ଦାସ ଓ ଆଡମିନିଷ୍ଟ୍ରେଟିଭ ବରସାର ସାହାବୁଦ୍ଦିନ ଅଲ୍ଲୀ ପ୍ରମୁଖ ମଂଚାସୀନ ଥିଲେ । ବୈଠକରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ନିୟମିତ ବାଧ୍ୟତାମୂଳକ ଭାବେ ବାୟୋମେଟ୍ରିକ ମେସିନରେ ଉପସ୍ଥାନ ଦେବା,ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟଦିବସରେ ଦୈନିକ ୭ଘଂଟା ଏବଂ କର୍ମଚାରୀମାନେ ଦୈନିକ ସାଢେ ୭ଘଂଟା କଲେଜ ପରିସରରେ ଉପସ୍ଥିତ ରହିବା, ପ୍ରତ୍ୟେକ ଅଧ୍ୟାପକ ଓ ଅଧ୍ୟାପିକାମାନେ ଦୈନିକ କଲେଜ ପାଠାଗାରକୁ ଯିବା, ଅଧ୍ୟାପକ ଓ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଲେସନପ୍ଲାନ ତଥା ପ୍ରୋଗେସ ରେଜିଷ୍ଟର ସ୍ୱାକ୍ଷରିତ ହେବା ସହ ଉପାଧ୍ୟକ୍ଷ କିମ୍ବା ଏକାଡେମିକ ବରସାରଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ହୋଇ ପ୍ରତ୍ୟେକମାସର ଶେଷ ଦିବସରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ପଠାଯିବା, ଅଣଶିକ୍ଷକ କର୍ମଚାରୀମାନେ ଲଗବୁକ ମେଂଟେନ କରିବା ସହ ମୁଖ୍ୟକିରାଣୀ ଏବଂ ଆଡମିନଷ୍ଟ୍ରେଟିଭ ବରସାରଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ହେବା,ବିଭାଗୀୟ ମୁଖ୍ୟମାନେ ପ୍ରତି ସପ୍ତାହରେ ସେମାନଙ୍କ ବିଭାଗର ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥାନ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବା,ଆକାଉଂଟ ସେକ୍ସନରେ ଡିସେମ୍ବରମାସ ସୁଧା “କାପା” ସିଷ୍ଟମରେ ଆକାଉଁଟ ମେଂଟେନ କରିବା,ଏଷ୍ଟାବ୍ଲିସମେଂଟ ସେକ୍ସନ ପ୍ରତିମାସର ୧୪ତାରିଖରେ ବାୟୋମେଟ୍ରିକ ମେସିନ ଉପସ୍ଥାନ ଆଧାରରେ ସମସ୍ତଙ୍କ ଉପସ୍ଥାନ ରିପୋର୍ଟ ପ୍ରଦାନ କରିବା,କଲେଜର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଷ୍ଟାଫମାନେ ସମୟାନୁଯାଇ ସେମାନଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପ୍ରଭୃତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ସମସ୍ତଙ୍କୁ ଅବଗତ କରାଯିବା ସହ କଲେଜ ପ୍ରଶାସନିକ ସୁଧାର ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ କଲେଜର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ,ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


