କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କ ଦାୟିତ୍ୱ ବଢ଼ିଛି
ଭୁବନେଶ୍ୱର, (ୱାଇଏନ୍ଏସ୍): କୋଟିଆ ମାମଲାକୁ ନେଇ ସୁପ୍ରିମକୋଟଙ୍କ ମୌଖିକ ନିର୍ଦ୍ଦେଶନାମା ପରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର ଦାୟିତ୍ୱ ବଢ଼ିଯାଇଛି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଆଜି ସୁପ୍ରିମକୋଟ କୋଟିଆ ମାମଲାର ଶୁଣାଣି କରି ରାଜନୈତିକ ଉପାୟରେ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ରାଜନୈତିକ ସ୍ତରରେ ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ଏହି ପରିସ୍ଥିତିରେ ଖାଂଟି ଓଡ଼ିଆ ପ୍ରାଣ ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଅତି ଶୀଘ୍ର ଦୁଇ ରାଜ୍ୟର ରାଜନୈତିକ ସ୍ତରରେ ଆଲୋଚନା ଆରମ୍ଭ କରିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସମ୍ମିଳନୀର ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଦାବି କରିଛନ୍ତି ।


