ଗଜପତିରେ ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରେ ନୁତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଗୈରିଶଙ୍କର ଶତପଥୀ ଦାୟୀତ୍ୱଭାର ଗ୍ରହଣ କରିଛନ୍ତି । ଏଠାରେ ପ୍ରାୟ ୧୫ମାସ ପରେ ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦାନ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତ ୧୫.୦୭.୨୦୨୦ରେ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କରୋନାର ପ୍ରଥମ ଲହରୀ ସମୟରେ ରବିଚନ୍ଦ୍ର ନାୟକଙ୍କ ବିୟୋଗ ଘଟିଥିଲା । ଏହାପରେ ଏହି ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ତେବେ ଆଜି ଏହି ପଦବୀରେ ଗୌରୀଶଙ୍କର ଶତପଥୀ ନୂତନ ଭାବେ ଯୋଗଦେଇଥିବାର ଜଣାପଡିଛି । ତେବେ ୧୫ମାସ ହେଲା ଜିଲ୍ଲା ସୂଚନା ବିଭାଗରେ କୌଣସି ସ୍ଥାୟୀ ଅଧିକାରୀ ନଥିବାରୁ ବହୁ ଅବହେଳିତ ଅବସ୍ଥାରେ ଏହି କାର୍ଯ୍ୟାଳୟଟି ଚାଲିଥିଲା । ଏଠାରେ ସ୍ୱର୍ଗତ ନାୟକଙ୍କ ବିୟୋଗ ପରେ ଜଣେ ବରିଷ୍ଠ କିରାଣୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଇତି ମଧ୍ୟରେ ତାଙ୍କ କାର୍ଯ୍ୟକାଳ ପୁରିଯିବା ତଥା ଅବସର ଗ୍ରହଣ କରିଥିବାରୁ ଏହି କାର୍ଯ୍ୟାଳୟରେ କେବଳ ପିଅନ ବ୍ୟତୀତ ଆଉ କେହି ନଥିଲେ । ଏହି କାଳ ମଧ୍ୟରେ କୌଣସି ସୂଚନା କିମ୍ବା କୌଣସି ଖବର ସଠିକ ଭାବେ ପହଞ୍ଚୁନଥିଲା । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଠିକ ବିବରଣୀ ମଧ୍ୟ ଦିଆଯାଉନଥିଲା । କାର୍ଯ୍ୟାଳୟ ସହ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ପ୍ରକାର ସୂଚନା ଠିକ୍ ଭାବେ ମିଳୁନଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କିଛି ଦିନ ପୂର୍ବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକାର୍ଯ୍ୟ ତୁଲାଇବା ସକାଶେ ଗଞ୍ଜାମ ଜିଲ୍ଲାରୁ ଆସିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଗୁରୁବୀର ସିଂ ଏଠାକାର ପରିସ୍ଥିତି ଓ ଅସୁବିଧା ସମ୍ପର୍କରେ ଜାଣିବା ପରେ ଏଠାକାର ପ୍ରତିନିଧିମାନଙ୍କୁ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇ କିଛି ଦିନ ମଧ୍ୟରେ ଉପଯୁକ୍ତ ଅଧିକାରୀଙ୍କୁ ଏଠାରେ ଦାୟିତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହାକି ଆଜି କାର୍ଯ୍ୟକାରୀ ହୋଇଥିବାର ଜଣାପଡିଛି । ତେଣୁ ଗଜପତି ଜିଲ୍ଲା ଗଣମାଧ୍ୟମ ପକ୍ଷରୁ ଶ୍ରୀ ସିଂଙ୍କ ତ୍ୱରାନ୍ୱିତ ପଦକ୍ଷେପ ଯୋଗୁଁ ସାଧୁବାଦ ଜଣାଇଛନ୍ତି । ଏହାସହ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ସ୍ୱାଗତ ଜଣାଇଛନ୍ତି ।


