ଗଜପତିରେ ପୁଣି ୭ କରୋନା ପଜିଟିଭ୍, ମୋଟ ୫୧ ରୋଗୀ ଚିହ୍ନଟ, ୧୦ ସୁସ୍ଥ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆଜି ୫୧ରେ ପହଞ୍ଚିଛି । ଏହି ୭ ଜଣଙ୍କୁ ଆଜି ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୭ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୫୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଚିକିତ୍ସିତ ଥିବା କରୋନା ପଜିଟିଭ୍ଙ୍କ ମଧ୍ୟରୁ ହୃଦ୍ରୋଗ ଥିବା ଜଣେ କରୋନା ପଜିଟିଭ୍ଙ୍କୁ ଗତ କିଛି ଦିନ ତଳେ ଭୁବନେଶ୍ୱର କିମସ୍ରେ ଭର୍ତ୍ତି କରାଯାଇଥିଲା । ସେ କିମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ୯ଜଣ ସୁସ୍ଥ ହୋଇଛନ୍ତି । ମୋଟ୧୦ ଜଣ ଗଜପତି ଜିଲ୍ଲାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଏଠାରେ ୪୧ଜଣ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମହାରଷ୍ଟ୍ରରୁ ୩ଜଣ,ଜଣେ ଗୁଜରାଟରୁ ଓ ତାମିଲନାଡୁରୁ ୩ ମୋଟ ୭ଫେରନ୍ତା ଗଜପତି ଜିଲ୍ଲାର ପ୍ରବାସୀ ଅଟନ୍ତି । ଏମାନେ ଗତ ୨୭ତାରିଖ ଦିନ ଗଜପତି ଫେରିଥିଲେ । ଏମାନଙ୍କୁ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାର ପଜିଟିଭ୍ ରିପୋର୍ଟ ଆସିବା ପରେ ଆଜି ଏହି ୭ଜଣଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ପୁରୁଷ ଅଟନ୍ତି । ଏମାନଙ୍କ ବୟସ ୧୮ରୁ ୪୪ ବର୍ଷ ଅଟେ । ଜିଲ୍ଲାର ସମସ୍ତ ୨୦୭ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ବିଭାଗୀୟ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ତେଣୁ ଜିଲ୍ଲାବାସୀ ଏଥିରେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଜନସାଧାରଣ ଲକ୍ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ଭାବେ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।


