ଗଜପତିରେ ବିଜୁପକ୍କା ଘରକୁ ନେଇ ବିବାଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସଦର ମହକୁମା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ବିଜୁପକ୍କା ଘରକୁ ନେଇ ବ୍ଲକ ପ୍ରଶାସନ ଓ ହିତାଧିକାରୀଙ୍କ ମଧ୍ୟରେ ବିବାଦ ଚାଲିଥିବାର ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ବରିଷ୍ଠ ବାମପନ୍ଥୀ ନେତା ବିଦ୍ୟାଧର ପାତ୍ର ଆଜକୁ ୩୫ବର୍ଷ ହେଲା ବ୍ଲକ କାର୍ଯ୍ୟାଳୟ ପରିସର ନିକଟରେ ଥିବା ଏକ ସ୍ଥାନ ବା ଜାଗାର ରାଜସ୍ୱ ଟିକସ ପୈଠ କରିଆସୁଥିଲେ । ତେବେ ଶ୍ରୀ ପାତ୍ର ବଡଗୋଷାଣୀ ଗ୍ରାମର କେ. ଭାଗ୍ୟମ୍ ନାମକ ଜଣେ ଅତି ଗରିବ ତଥା ଅସହାୟଙ୍କୁ ତାଙ୍କର ଏହି ଜାଗାଟିକୁ ପ୍ରଦାନ କରିଦେଇଥିଲେ । କେ. ଭାଗ୍ୟମ୍ ବିଜୁ ପକ୍କାଘର ପାଇବା ପାଇଁ ବିବେଚିତ ହୋଇ କାର୍ଯ୍ୟାଦେଶ ଏବଂ ଦୁଇଗୋଟି କିସ୍ତିରେ ଟଙ୍କା ପାଇ ବାସଗୃହ ନିର୍ମାଣ ଆରମ୍ଭ କରିଦେଇଥିଲେ । ଗତ ୧୫.୦୭.୨୦୨୦ କାର୍ଯ୍ୟାଦେଶ ପ୍ରକାରେ ଦୁଇ ଗୋଟି କିସ୍ତି ଯଥା ମୁଳଦୁଆ ଖୋଳା ହେବା ପରେ ୨୦ହଜାର ଟଙ୍କା ଓ ପ୍ଲିନ୍ଥ ଲେବଲ କାର୍ଯ୍ୟ ଶେଷ ହେବା ପରେ ୩୫ହଜାର ଟଙ୍କା ଏପରି ମୋଟ ୫୫ହଜାର ଟଙ୍କା ପାଇଥିଲେ କେ.ଭାଗ୍ୟମ । ତାଙ୍କ ବାସ ଗୃହ ଏପରି ଭାବେ ଛାତ ପଡିଯାଇଥିଲେ ମଧ୍ୟ ଅଧପନ୍ତରିଆ ଭାବେ ପଡି ରହିଥିବା ଏବଂ ପରବର୍ତ୍ତୀ କିସ୍ତି ବାବଦରେ ୪୫ହଜାର ଓ ୩୦ହଜାର ଟଙ୍କା ପାଇବା ପାଇଁ ବିଡିଓଙ୍କ ନିକଟେର ନିବେଦନ କରିଥିଲେ । ତେବେ ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ ଏହା ସରକାରୀ ତଥା ବ୍ଲକ କାର୍ଯ୍ୟାଳୟ ପରିସରର ସ୍ଥାନ ବା ଜାଗା ବୋଲି ଯୁକ୍ତି ଦର୍ଶାଇ ଅବଶିଷ୍ଠ ପର୍ଯ୍ୟାୟର କିସ୍ତି ଟଙ୍କା ପ୍ରଦାନ କରୁନାହାନ୍ତି । ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ଓ ଏହା ସରକାରୀ ଜାଗା ତେବେ ବିଦ୍ୟାଧର ପାତ୍ର ଗତ ୩୫ ବର୍ଷ ହେଲା ଉକ୍ତ ସ୍ଥାନ ପାଇଁ ରାଜସ୍ୱ ଟିକସ କିପରି ପୈଠ କରୁଥିଲେ ? ଯଦି ଓ ଏହା ସରକାରୀ ଜାଗା ତେବେ କେ. ଭାଗ୍ୟମ୍ଙ୍କୁ କିପରି ଭାବେ ବିଜୁପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବା ସହ ଦୁଇ ଗୋଟି କିସ୍ତି ଟଙ୍କା ପୈଠ କରାଗଲା ? ଏପରି ନାନାଦି ପ୍ରଶ୍ନବାଚୀ ସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏହି ସ୍ଥାନକୁ ଚିହ୍ନଟ କରିବା ବେଳେ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ କିପରି ଏହା ସରକାରୀ ଜାଗା ବୋଲି ଜାଣିପାରିନଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ରାଜ୍ୟ ସରକାରୀ ଯେଭଳି କୌଣସି ବି ପରିବାର ଜମିହୀନ ରହିବେ ନାହିଁ ସେଥି ପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଆସୁଛନ୍ତି । ପ୍ରକୃତ ହିତାଧକାରୀ ଯେପରି ଜମିବିହୀନ ରହିବେନି ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଉଛି । ଯେଭଳି ଯୋଜନାରୁ ଲାଭ ପାଇବେ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।


