୧୦ଦିନ ଧରି ବିଏସ୍ଏନ୍ଏଲ୍ ସେବା ବ୍ୟାହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଓ ବିରିକୋଟ ଗ୍ରାମ ଠାରେ ପ୍ରାୟ ୧୦ ଦିନ ହେଲା ବିଏସ୍ଏନ୍ଏଲ୍ ସେବା ବ୍ୟାହତ ହୋଇଥିବାର ଜଣାପଡିଛି । ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ଏହି ବିଏସ୍ଏନ୍ଏଲ୍ ସେବା ବ୍ୟାହତ ହୋଇଥିବାରୁ ବିଭିନ୍ନ ଅନ୍ଲାଇନ କାର୍ଯ୍ୟକ୍ରମ ସହ ପାଠ ପଢା, ସରକାରୀ କାର୍ଯ୍ୟ ସମେତ ମୋବାଇଲ ଫୋନ ମାଧ୍ୟମରେ କାହାରି ସହିତ ବାର୍ତ୍ତାଳପ ତଥା ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି । ସେହିପରି ବ୍ୟାଙ୍କ, ପୋଷ୍ଟ ଅଫିସରେ ମଧ୍ୟ କୌଣସି କାର୍ଯ୍ୟ ସମ୍ପାଦନା ହୋଇପାରୁନାହିଁ । ଆଗକୁ ଥିବା ତ୍ରିସ୍ତରୀୟ ପଞ୍ଚାତ ନିର୍ବଚନ ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ନିମନ୍ତେ ହେଉଥିବା ସର୍ଭେ ଆଦି କାର୍ଯ୍ୟକ୍ରମ ମଧ୍ୟ ହୋଇପାରୁନି ବୋଲି ନିଯୁକ୍ତ ହୋଇଥିବା ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଜଣାଇଛନ୍ତି । ଏଥି ଯୋଗୁଁ ନାନାଦି ସମସ୍ୟା ଉପୁଜୁଅଛି ବୋଲି ଅଞ୍ଚଳବାସୀ ଜଣାଇଛନ୍ତି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରେ ଦାବି କରିଛନ୍ତି ।


