ଗଜପତି ଜିଲ୍ଲାପାଇଁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ନୂତନ ସଭାପତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାଇଁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ନୂଆ ସଭାପତି ରୂପେ ଡ.ବୃଷକେତୁ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୧ତାରିଖ ବିଳମ୍ବିତ ସନ୍ଧ୍ୟାରେ ସଭାପତି ମନୋୟନ ପାଇଁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିସା ସାହିତ୍ୟ ସମ୍ମିଳନୀର ରାଜ୍ୟ ମହାସଚିବ ଦଣ୍ଡପାଣି ମହାପାତ୍ର ଓ ରାଜ୍ୟ ସଭାପତି କବି ପ୍ରଶାନ୍ତ ମିଶ୍ର ଯୋଗଦେଇଥିଲେ । ଗଜପତିର ସାହିତ୍ୟ ପ୍ରେମୀ ବୁଦ୍ଧିଜିବୀ ଓ ସାହିତିକ ମାନଙ୍କ ଉପସ୍ଥିତିରେ ଡ.ଦାସଙ୍କୁ ଏହି ପଦବୀ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଜିଲ୍ଲାସ୍ତରୀୟ ଟିମ୍ ଗଠନଲାଗି ମଧ୍ୟ ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ସେ ସମ୍ପାଦକ, କୋଷାଧ୍ୟକ୍ଷ ଓ କାର୍ଯ୍ୟକାରୀ କମିଟି ସଦସ୍ୟ, ସଦସ୍ୟାଙ୍କ ନାମ କେନ୍ଦ୍ରୀୟ କମିଟିକୁ ସୁପାରିଶ କରିବେ କେନ୍ଦ୍ରୀୟ କମିଟିର ମୋହର ଲାଗିବାପରେ ସେମାନଙ୍କ ନାମ ଘୋଷଣା କରାଯିବ । ଗଜପତି ଜିଲ୍ଲାପାଇଁ ସମ୍ମିଳନୀର ପରବର୍ତ୍ତୀ ନିର୍ବାଚନ ଯାଏଁ ଡ.ଦାସ ସଭାପତି ରହିବେ ବୋଲି ରାଜ୍ୟ ମହା ସଚିବ ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଡ. ବୃଷକେତୁ ଦାସ ଜଣେ ଶିକ୍ଷାବିତ୍ତ, ଗବେଷକ ଓ ଲେଖକ ଅଟନ୍ତି । ବର୍ତ୍ତମାନ ସେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଠାରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଟନ୍ତି ।


