ଗଜପତି ଜିଲ୍ଲା ଉନ୍ନୟନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନର ସଭାଗୃହ ଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ କମିଟି ଏବଂ ମନିଟରିଂ କମିଟି ବୈଠକ (ଦିଶା) ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ତଦାରଖ କରାଯାଇ ସେଗୁଡିକ କିପରି ସଫଳ ରୂପାୟନ ହେବ ସେ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଗୁଡିକ ଉପରେ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ଗ୍ରାମ୍ୟ ଜଳ ଯୋଗାଣ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପନିପରିବା ଚାଷ, ସିଞ୍ଚନ ଯୋଜନା, ଜାତୀୟ ସ୍ୱସ୍ଥ୍ୟ ମିଶନ, ସର୍ବ ଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ସମନ୍ୱିତ ଶିଶୁ ବିକାଶ ଯୋଜନା, ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନା, ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଇତ୍ୟାଦି ଉପରେ ଆଲୋଚନା ହୋଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାଂସଦଙ୍କ ପାଣ୍ଠିରୁ କେତେ ଟଙ୍କା ମଞ୍ଜୁରୀ ହୋଇଛି ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଭାବେ ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆବାସ ଯୋଜନା ଏବଂ ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ, କୃଷି ସମ୍ବନ୍ଧୀୟ ଇ-ମାର୍କେଟିଂ, ମନେରଗା ଯୋଜନା, ଦୀନଦୟାଲ ଅନ୍ତୋଦୟ ଯୋଜନା, ପ୍ରଧାନମନ୍ତ୍ରୀ ଖଣିଜ କଲ୍ୟାଣ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯିବା ସହ ଏହି ଯୋଜନା ଗୁଡିକର ଲକ୍ଷ୍ୟ ଓ ଧାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ଯୋଜନା ଗୁଡିକ କିପରି ସଫଳ ଭାବେ ଫଳ ପ୍ରଦ ହେବ ସେ ବିଷୟରେ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନିତାରାଣୀ ବେହେରା, ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସୀନଥିବାବେଳେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ପଞ୍ଚାୟତ ଜନପ୍ରତିନିଧି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ