ଗଜରାଜପୁର ପଂଚାୟତର ଦେବୀନଦୀ କୂଳରେ ଭାସୁଛି ଅଚିହ୍ନା ଶବ
ନାଉଗାଁ, (ଓ୍ବାଇଏନ୍ଏସ୍) : ନାଉଗାଁ ଥାନା ଅଧିନ ଗଜରାଜପୁର ପଂଚାୟତ ତୁମ୍ବେଶ୍ୱର ମନ୍ଦିର ପାଖ ଦେବୀନଦୀ କୂଳରେ ଶନିବାର ଏକ ଅଚିହ୍ନା ଶବ ଭୁସୁଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ମୁତାବକ ସ୍ଥାନୀୟ ପଂଚାୟତର ଯୁବକମାନେ ନଦୀ ପଠାରେ ଅପରାହ୍ନରେ ଖେଳୁଥିବା ସମୟରେ ନଦୀ କୂଳରେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାକୁ ଦେଖି ସେମାନେ ନାଉଗାଁ ଥାନାକୁ ଖବର ଦେବା ସହିତ ଉକ୍ତ ଶବକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଉକ୍ତ ଶବଟି ମହିଳା କି ପୁରୁଷ ଜଣାପଡୁନଥିବା ବେଳେ ଲାଲ ରଂଗର ବସ୍ତ୍ର ପରିଧାନ କରିଥିବା ଦେଖାଯାଇଛି । ଅନ୍ୟପଟରେ ସ୍ଥାନୀୟ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ଶବକୁ ଖୋଜାଖୋଜି କରିଥିଲେ ମଧ୍ୟ ରାତି ହେତୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଆସନ୍ତାକାଲି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଆଇଆଇସି ଗୋବର୍ଦ୍ଧନ ସାହୁ କହିଛନ୍ତି ।


