ଗହୀରମଥା କଇଁଛ ସୁରକ୍ଷା ସମିତିର ବାର୍ଷିକ ଉତ୍ସବ : ଦ୍ରୁତ ତଟକ୍ଷୟ ସାମୁଦ୍ରିକ ଜୀବ ପାଇଁ ଅଭିଶାପ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଜଗତଜୋର ଓସଡମା ହଲରେ ଗହୀରମଥା କଇଁଛ ସୁରକ୍ଷା ସମିତିର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ସତ୍ୟପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହିତ ଅତିଥିମାନେ ସାମୁଦ୍ରିକ ତଟକ୍ଷୟର ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଦ୍ରୁତ ତଟକ୍ଷୟ ସାମୁଦ୍ରିକ ଜୀବ ଓ ତାଟାଂଚଳବାସୀଙ୍କ ପାଇଁ ଅଭିଶାପ ବୋଲି ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଉତ୍ସବକୁ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ତଥା କବି ନିରାକାର ଦାସ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ସାମ୍ବାଦିକ ଜଗନ୍ନାଥ ଧଳ, ସମ୍ମାନୀତ ଅତିଥି ଭାବେ ବୁଦ୍ଧିଜୀବୀ ଅରୁଣ କୁମାର କାନୁନଗୋ ଓ କବୟିତ୍ରୀ ଅବନ୍ତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ପ୍ରକାଶ କରିଥିଲେ ଯେ, ବିରଳ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ବିଶ୍ୱ ପର୍ଯ୍ୟଟକଙ୍କ ସହିତ ପରିବେଶବିତଙ୍କ ଆକର୍ଷଣ ସ୍ଥଳ ପାଲଟିଛି । ଏହି କଇଁଛଙ୍କ ଆଗମନ ଓ ପ୍ରସ୍ଥାନକୁ ନେଇ ଏବେ ଜୀବ ବିଜ୍ଞାନୀ ଅନ୍ଧାରରେ ଅଛନ୍ତି । ଏହି ସଂରକ୍ଷିତ ଜୀବଙ୍କ ପାଇଁ ଗହୀରମଥାର ଦ୍ରୁତ ତଟକ୍ଷୟ ବାଧକ ସାଜିଛି । ପ୍ରଜନନ ସ୍ଥଳ ସଂକୁଚିତ ହୋଇଥିବା ବେଳେ ଧୀବରଙ୍କ ଜାଲ ମୃତ୍ୟୁର କାରଣ ହେଉଛି । ଦ୍ରୁତ ତଟକ୍ଷୟ ରୋକିବା ପାଇଁ ହେନ୍ତାଳବଣର ଆବଶ୍ୟକତା ଜରୁରୀ ହୋଇପଡିଛି । ହେନ୍ତାଳବଣ ତଟାଂଚଳବାସୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଚୀର ସଦୃଶ ହୋଇଛି । ଏହାର ଧ୍ୱଂସ କାରଣରୁ ପୂର୍ବରୁ କୋଣାର୍କ ନିକଟର ହରଚଣ୍ଡି ମନ୍ଦିରରେ ସାମୁହିକ ଭାବେ ଅଲିଭ ରିଡଲେଙ୍କ ଆଗମନ ଗତ ୨୦୧୨ ମସିହାରୁ ବନ୍ଦ ହୋଇଯାଇଛି । କଇଁଛଙ୍କୁ ସୁରକ୍ଷା ଦେବା ସହିତ ହେନ୍ତାଳବଣ ସୃଷ୍ଟି କରି ତଟାଂଚଳ କ୍ଷୟକୁ ରୋକିବାକୁ ପଡିବ । ଏହି ସମସ୍ୟାର ସମାଧାନ ନହେଲେ ତଟାଂଚଳ ସାତଭାୟାର ବହୁ ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହେବା ପରି ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ସ୍ଥାନୀୟ ଲୋକ ବିସ୍ଥାପିତ ହେବେ । ଏଥିସହିତ ଗହୀରମଥା ସମୁଦ୍ରାଂଚଳକୁ ସଫା ରଖିବା, ଡ୍ରୋନ ଦ୍ୱାରା ତଟକ୍ଷୟ ଓ କଇଁଛ, ଡଲଫିିନ ଆଦିଙ୍କୁ ସର୍ଭେଲାନ୍ସରେ ରଖିବା, ସାମୁଦ୍ରିକ ଜୀବ ବିଜ୍ଞାନ କେନ୍ଦ୍ର ଓ ପାଠଶାଳା କେନ୍ଦ୍ର ସ୍ଥାପନ କରିବା ଭଳି ପ୍ରସ୍ତାବକୁ ଉତ୍ଥାପନ କରିଥିଲେ । ସମ୍ପାଦକ ହେମନ୍ତ କୁମାର ରାଉତ ସମିତିର ବାର୍ଷିକ ବିବରଣୀ ଉପସ୍ଥାପନ ସହ ସଂଗଠନକୁ ମଜଭୁତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଶିକ୍ଷାବିତ ବିଦ୍ୟୁତ କୁମାର ଖୁଂଟିଆ, ବାଣୀଭୂଷଣ ନାୟକ, ଚାରୁଲତା ଭୂୟାଁ, ମନୋଜ କୁମାର ସୂତାର, ମନୋଜ କୁମାର ପାତ୍ରଙ୍କ ସହିତ ସ୍ଥାନୀୟ ଅଂଚଳର ୧୭ ଜଣ ବୁଦ୍ଧିଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାକୁ ସମିତିର କାର୍ଯ୍ୟକର୍ତା ଅଶୋକ କୁମାର ସ୍ୱାଇଁ, କଳ୍ପତରୁ ସାମଲ, ପ୍ରଭୁପ୍ରସାଦ ମହାପାତ୍ର, ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।


