ଗାଁ ଠୁ ସହର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା
ଧାମନଗର(ଓ୍ବାଇଏନଏସ): ଧାମନଗର ପଞ୍ଚାୟତ ସମିତି, ତହସିଲ ଏବଂ ବିଭିନ୍ନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗାଁ ଠୁ ସହର ସବୁ ଆଡେ ପବିତ୍ର ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଗୌରୀ ନନ୍ଦନ ତଥା ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଛି। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଛି। ସରକାର ଓ ବେସରକାରୀ ବିଭିନ୍ନ ଶିକ୍ଷାନୁଷ୍ଠାନ,ବ୍ୟବସାୟିକ ଅନୁଷ୍ଠାନ ଏପରିକି ସାହି ଗଳିରେ ବ୍ୟାପକ ଆୟୋଜନରେ ଅନୁଷ୍ଠିତ ସିଦ୍ଧିଦାତାଙ୍କ ଆରାଧନା। ବ୍ଲକ ଓ ଏନ ଏ ସି ଅଞ୍ଚଳରେ ବିଭିନ୍ନ ସୁସଜ୍ଜିତ ପୁଜା ମଣ୍ଡପରେ ଭକ୍ତି ଓ ଶ୍ରଦ୍ଧାର ସହ ପୂଜା ପାଇଲେ ବିଘ୍ନହର୍ତ୍ତା।କେଉଁଠି ସକାଳୁ ସକାଳୁ ପୂଜା ଆରମ୍ଭ ହୋଇଗଲାଣି ତ ଆଉ କେଉଁଠି ରାତ୍ରିରେ ପୂଜା ଲାଗି ପ୍ରସ୍ତୁତି ଚାଲିଛି। ବକ୍ରତୁଣ୍ଡ ମହକାୟ ସ୍ତୁତିର ଧ୍ବନୀରେ ପ୍ରକମ୍ପିତ ହୋଇଛି ଗଗନ ପବନ। ଧୂପ,ଦୀପ ଝୁଣା ଓ ନୈବେଦ୍ୟର ମୋହନୀୟ ମହକ ଭିତରେ ଆର୍ବିଭୂତ ହେବେ ପ୍ରଭୁ ଶ୍ରୀ ଗଣେଶ। ଏହି ଅବସରରେ ଧାମନଗର ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ, ରାଧାବଲ୍ଲଭପୁର ପଞ୍ଚାୟତ ଅଧିନ ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ,ଫିଡର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତୋଫାନ ନାୟକଙ୍କ ତତ୍ତ୍ୱାବଧାନରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଥିବା ବେଳେ ଧାମନଗର ବ୍ଲକ ଓ ସହରାଞ୍ଚଳର ବିଭିନ୍ନ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ, ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ବିଦ୍ୟା,ବୁଦ୍ଧି ଓ ସିଦ୍ଧିଦାତା,ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଭାବ ଭକ୍ତିର ସହ ପାଳିତ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରିଥିବା ବେଳେ ପେଟ୍ରୋଲିଙ୍ଗକୁ କଡାକଡି କରାଯାଇଥିଲା।


