ଗାଁ ସାରା ଏକାଠି ହୋଇ ପାଳିଲେ ପହିଲି ରଜ କନ୍ଦଳେଇରୁ ଶୁଭିଲା ଦୋଳି ଗୀତ, ଜମିଲା ଭୋଜିଭାତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍ ) : ମାଟିର ପର୍ବ ରଜକୁ ନେଇ ଗାଁ ପାଲଟିଛି ଉତ୍ସବ ମୁଖର । ଦୋଳି ଗୀତ ଓ ଭୋଜିଭାତର ଆସରରେ ଫନି ବାତ୍ୟାର କ୍ଷତକୁ ଭୁଲି ସାରା ଗାଁ ଏକାଠି ହୋଇଛି । କୃଷିଭିତ୍ତିକ ଏହି ପର୍ବର ମହତ୍ତ୍ୱକୁ ଉଜ୍ଜୀବିତ କରିବା ପାଇଁ ସାମାଜିକ ସଂଗଠନ ସମାଜର ଦର୍ପଣ ହେଲ୍ପ ଗ୍ରୁପ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଇଥିବା ନୂଆ ପୋଷାକ ଓ ପ୍ରସାଧନିକ ଦ୍ରବ୍ୟରେ କୁମାରୀମାନେ ନିଜକୁ ସଜାଇ କୁନି ପରୀଟିଏ ପରି ପୁଚି, ଦୋଳି ଓ ଅନ୍ୟାନ୍ୟ ଖେଳରେ ମାତିଥିଲେ । ଏଭଳି ଭାବେ ରଜ ଅବସରରେ ଏକାଠି ହୋଇଥିବା ଏହି ଗାଁଟି ଥିଲା ରାଜଧାନୀ ଉପକଣ୍ଠ ଛତାବର ପଞ୍ଚାୟତ ଆଦିବାସୀପଲ୍ଲୀ କନ୍ଦଳେଇ । ପ୍ରତିବର୍ଷ ପରି ଚଳିତ ବର୍ଷ ସାମାଜିକ ସଂଗଠନ ସମାଜର ଦର୍ପଣ ହେଲ୍ପ ଗ୍ରୁପ୍ର ସଦସ୍ୟମାନେ କନ୍ଦଳେଇରେ ରଜପର୍ବର ଉତ୍ସାହକୁ ଟିକେ ନିଆରା ଢଙ୍ଗରେ ପ୍ରଦର୍ଶିତ ପାଇଁ ସହଯୋଗ କରିଥିଲେ । ଉଲ୍ଲେଖନୀୟ ଯେ ସ୍ମାର୍ଟ ସହର ଭୁବନେଶ୍ୱରଠାରୁ ୨୫ କି.ମି. ଦୂରରେ ଥିବା ଏହି କନ୍ଦଳେଇ ଗ୍ରାମର ସମସ୍ତ ପରିବାର କୋହ୍ଲ ଜନଜାତିର । ରଜ ଏହି ଜନଜାତିର ଏକ ବଡ଼ ଗଣପର୍ବ । ଚଳିତବର୍ଷ ସାମୁଦ୍ରିକ ବାତ୍ୟାରେ ପୁରା ଗାଁଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ରଜ ପାଳନକୁ ନେଇ ଲୋକଙ୍କ ମନରେ ଉତ୍ସାହ ଟିକେ ଊଣା ଥିଲା । ଲୋକଙ୍କୁ ଏକାଠି କରି ରଜପର୍ବର ମହକ ଓ ବିଶେଷତ୍ୱକୁ ପ୍ରତିପାଦିତ ପାଇଁ ସାମାଜିକ ସଂଗଠନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରଜ ମଉଜ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ସେନାପତି, ସମ୍ପାଦକ ଚନ୍ଦନ ସ୍ୱାଇଁ, ଉପସଭାପତି କୁଳମଣି ଭୂତିଆ, ସହସମ୍ପାଦକ ତନ୍ମୟ ମହାପାତ୍ର, ଜ୍ୟୋତିରଞ୍ଜନ ରାୟ, ବିଶ୍ୱଜିତ୍ ରାୟମହାପାତ୍ର, ବିଜୟ କୁମାର ଖୁଣ୍ଟିଆ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ପ୍ରଦୀପ୍ତ ରଞ୍ଜନ ରାଉତ,ପ୍ରମୁଖ ପରି•ଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ ଓ ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ ଯୋଗଦାନ କରି ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।