ଗୁଣ୍ଡୁରିଆ ଶହୀଦ ପୀଠକୁ ଐତିହାସିକ ସ୍ଥାନର ମାନ୍ୟତା ଓ ଟ୍ରଷ୍ଟ ଗଠନ ନେଇ ସବୁଜ ସଂକେତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବହଳଦା ବ୍ଲକର ଅଁଳାଯୋଡ଼ି ପଞ୍ଚାୟତର ଗୁଣ୍ଡୁରିଆ ଗ୍ରାମରେ ୧୯୪୯ ଫେବୃଆରୀ ୬ ତାରିଖ ଦିନ ମା’ମାଟି,ମାନୁଷ ଓ ଆଦିବାସୀ ହକ୍ ପାଇଁ ନିରିହ ଆଦିବାସୀ ଶାନ୍ତି ପୂର୍ଣ୍ଣ ଭାବେ ବୈଠକ ଚାଲିଥିବା ବେଳେ ସେତେବେଳର ସରକାର ନିରିହ ଆଦିବାସୀଙ୍କ ଉପରେ ଗୁଳି ଓ ଲାଠି ଚାଳନା କରିଥିଲେ । ବହୁ ସଂଖ୍ୟାରେ ନିରିହ ଆଦିବାସୀ ଟଳି ପଡ଼ିଥିଲେ । ରକ୍ତ ରଂଜିତ ହୋଇଥିଲା ଗୁଣ୍ଡୁରିଆ ମାଟି ।ସେହି ନିରିହ ଶହୀଦଙ୍କ ପାଇଁ ସ୍ମୃତି ପାଳନ ଅବସରରେ ପ୍ରତିବର୍ଷ ବିଭିନ୍ନ ସଂଗଠନ’ପକ୍ଷରୁ ଶହୀଦ ଦିବସ ପାଳନ କରାଯାଉଛି । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ଐତିହାସିକ ମାନ୍ୟତା ଓ ଟ୍ରଷ୍ଟ ଗଠନ ନେଇ ସରକାରୀ ସ୍ତରରେ ସବୁଜ ସଂକେତ ମିଳିଛି ।୧୬ଫେବୃଆରୀ ଦିନ ରାଜ୍ୟ ଏସଡିସି ଉପଦେଷ୍ଟା ସୁଜିତ୍ କୁମାର ଗୁଣ୍ଡରିଆ ଅବହେଳିତ ଶହୀଦ ପୀଠକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଫେରି ଯାଇଛନ୍ତି । ଶହୀଦ ପୀଠକୁ ନେଇ ଅଂଚଳର ବୁଦ୍ଧିଜୀବୀ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଥିଲେ ।ଦୁଃଖର ବିଷୟ ପୋଲିସର ଗୁଳି ଚାଳନାରେ ମୃତ ହୋଇଥିବା ବ୍ୟକ୍ତିମାନଙ୍କୁ ଦିର୍ଘ ୭୧ ବର୍ଷ ହେଲା ଚିହ୍ନଟ କରାଯାଇ ନ ଥିବାରୁ ଲୋକମାନେ ଅଭିଯୋଗ କରିଥିଲେ ।ଅଂଚଳର ବିକାଶ, ଟ୍ରଷ୍ଟ ଓ ସରକାରୀ ସ୍ତରରେ ମାନ୍ୟତା ପାଇଁ ଏସଡିସି ଉପଦେଷ୍ଟା ସୁଜିତ୍ କୁମାର ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ଅଲ୍ ଇଣ୍ଡିଆ ଆଦିବାସୀ ସଂଗଠନର ସାଧାରଣ ସମ୍ପାଦକ ଓଡ଼ିଶାର ବିଶିଷ୍ଟ ଆଦିବାସୀ ଯୁବ ସମାଜସେବୀ ଚକ୍ରଧର ହେମ୍ବ୍ରମ, ରେଭେନ୍ସା ଅଟୋନମୋସ ମହାବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନର ଅଧ୍ୟାପକ ଡଃ ପ୍ରିୟବ୍ରତ ମାଝୀ, ଘାସିରାମ ହାଁସଦା, ଅନନ୍ତ ହାଁସଦା, ଗୋବିନ୍ଦ ସୋରେନ୍, ଗଙ୍ଗାଧର ହେମ୍ବ୍ରମ, ସମେତ ବହୁ ଆଦିବାସୀ , ସଂସ୍କୃତିବିତ୍, ଲେଖକ,କବି, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଡଃ ସୁଜିତ୍ କୁମାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାକୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।


