ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ନିମାପଡ଼ା, (ସନ୍ତୋଷ ଦାଶ):ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକାଡେମୀ ପୁରସ୍କାର ୨୦୨୧ ଓ ୨୦୨୨ ବର୍ଷ ଲାଗି ନୃତ୍ୟ, ସଙ୍ଗୀତ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଜୀବନବ୍ୟାପୀ ସାଧନା କରିଥିବା ବିଶିଷ୍ଟ କଳାକାରମାନଙ୍କୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇଛି। ଏକାଡେମୀ ତରଫରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ରାଜ୍ୟ ଗୃହ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ, ଏକାଡେମୀ ସଭାପତି, ଉପସଭାପତି ଓ ସଚିବ ଉପସ୍ଥିତ ରହି କଳାକାରମାନଙ୍କୁ ପୁରସ୍କୃତ କରିଥିଲେ। ଲୋକନୃତ୍ୟ ବିଭାଗରେ ଜୀବନବ୍ୟାପୀ ସାଧନା ନିମନ୍ତେ ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ କୋଣାର୍କ ଅର୍କ ବିହାର ସ୍ଥିତ କୋଣାର୍କ ନାଟ୍ୟ ମଣ୍ଡପର ବରିଷ୍ଠ ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକଙ୍କୁ ଏକାଡେମୀ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। ଦୀର୍ଘ ଛଅ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଗୋଟିପୁଅ ନୃତ୍ୟ ଓ ସଙ୍ଗୀତ ର ପ୍ରଚାର ପ୍ରସାର ରାଜ୍ୟ, ଦେଶ ଓ ବିଦେଶରେ ଅନେକ ସ୍ଥାନରେ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ନାଟ୍ୟ ମଣ୍ଡପରେ ଅନେକ ଶିଷ୍ୟମାନଙ୍କୁ ଗୁରୁକୁଳ ପରମ୍ପରାରେ ଶିକ୍ଷା ଦେଇ ଆସୁଥିବା ଗୁରୁ ଶ୍ରୀଯୁକ୍ତ ନାୟକ କୋଣାର୍କ ଜୁଣେଇ ନିକଟସ୍ଥ ବାହାରଣା ଗ୍ରାମର ମୂଳ ବାସିନ୍ଦା। ସେ ପ୍ରତିଷ୍ଠିତ କବି ମାନଙ୍କର ଓଡ଼ିଶୀ ସଙ୍ଗୀତକୁ ମନେ ମନେ ମୁଖସ୍ଥ କରି ତାକୁ ପାରମ୍ପରିକ ଢାଞ୍ଚାରେ ଗୋଟିପୁଅ ନାଚରେ ଗାୟନ କରିବାରେ ବିଶେଷ ପାରଦର୍ଶିତା ଲାଭ କରିଛନ୍ତି ଓ ୧୯୮୫ ମସିହାଠାରୁ ନାଟ୍ୟ ମଣ୍ଡପରେ ପ୍ରତିଷ୍ଠିତ ଗୁରୁ ଭାବରେ କାର୍ଯ୍ୟରତ। ରାଜ୍ୟ ସରକାରଙ୍କ ତରଫରୁ ଏକାଡେମୀ ପୁରସ୍କାର ଭଳି ମର୍ଯ୍ୟାଦାଜନ କ ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ଏହି ଖବର ପ୍ରଚାରିତ ହେବା ପରେ ଅର୍କ କ୍ଷେତ୍ର କୋଣାର୍କରେ ଖୁସିରେ ଲହରୀ ଖେଳିଯାଇଛି ଓ କୋଣାର୍କର ବିଭିନ୍ନ ସାମାଜିକ – ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି। କୋଣାର୍କ ନାଟ୍ୟ ମଣ୍ଡପ କାର୍ଯ୍ୟନିର୍ବାହୀ ସଭାପତି ଡ଼ ରମଣୀ ରଂଜନ ଜେନା ଓ ଯୁଗ୍ମ ସମ୍ପାଦକ ଗୁରୁପଦ ଵଳିଆରସିଂହ ଗୁରୁ ଜୟକୃଷ୍ଣ ଙ୍କ ସହିତ ଏହି ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ନାଟ୍ୟ ମଣ୍ଡପ ସଭାପତି ଖଗେଶ୍ବର ଖଣ୍ଡାୟତରାୟ, ଉପସଭାପତି ପ୍ରସନ୍ନ କୁମାର ବେଉରିଆ ଓ ସମ୍ପାଦକ ଶିବାଶିଷ ପ୍ରଧାନ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀକୁ ଧନ୍ୟବାଦ ଜଣାଇବା ସହିତ ବୟୋଜ୍ୟେଷ୍ଠ ଗୋଟିପୁଅ ଗୁରୁ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।


