ଗୋପାଳପୁର ବନ୍ଦରର ବୃହତ୍ତ କେପ୍ ସାଇଜ୍ ଜାହାଜ ଧାରଣ କ୍ଷମତା ହାସଲ
ଛତ୍ରପୁର: ଏବେ ଗୋପାଳପୁର ବନ୍ଦର ବୃହତ୍ତ କେପ୍ ସାଇଜ୍ ଜାହାଜ ଧାରଣ କରିବା ପାଇଁ କ୍ଷମତା ହାସଲ କରିଛି । ଚଳିତ ମାସ ୧୨ ତାରିଖରେ ୧୦୫୦୦୦ ଟନ୍ର ମାଲବାହୀ ଜାହାଜ ଗୋପାଳପୁର ବନ୍ଦରରେ ପହଞ୍ଚିଥିବା ଏହା ସଫଳତର ଏକ ଉଦାହରଣ ସାଜିଥିବା ବେଳେ ଆମ ପାଇଁ ଗର୍ବର ବିଷୟ ପାଲଟିଛି । ୧୦୫୦୦୦ ଟନ୍ର ମାଲ ଥିବା ଜାହାଜ ଆସିବା ଖୁବ୍ କମ୍ ସମୟରେ ସାପ୍ରୋଜି ପାଲୋନ୍ଜି ଗ୍ରୁପ୍ ଗୋପାଳପୁର ବନ୍ଦରକୁ ଏକ ବିଶ୍ୱସ୍ତରୀୟ ବନ୍ଦର କରାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ସାପ୍ରୋଜି ପାଲୋନ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ ପ୍ରକାଶ କରିଛନ୍ତି । ୧୦୫୦୦୦ ଟନ୍ର ଚୁନପଥର ବୋଝେଇ ପ୍ରଥମ ବୃହତ୍ତ(କେପ୍ ସାଇଜ୍)ଜାହାଜ ଅକ୍ଟୋବର ୧୨ ତାରିଖରେ ଗୋପାଳପୁର ବନ୍ଦରରେ ପହଞ୍ଚିଛି । କେପ୍ ସାଇଜ୍ ଜାହାଜ ପାଇଁ ସୁବିଧା ଥିବା ଭାରତର ଅଳ୍ପ କେତେକ ବନ୍ଦର ମଧ୍ୟରେ ଗୋପାଳପୁର ସ୍ଥାନ ପାଇ ପାରିଛି । ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଉପଭୋକ୍ତା ଜେଏସ୍ପିଏଲ୍ ମଧ୍ୟ ପ୍ରାଚ୍ୟରୁ ଏସାର ସିପିଙ୍ଗ୍ ମାଲିକାନାରେ ଏକ ଜାହାଜରେ ଆସିଥିବା ୧୦୫୦୦୦ ଟନ୍ ଷ୍ଟିଲ୍ ଗ୍ରେଡ୍ ଚୁନପଥର ଆମଦାନୀ କରିଛି । ଗୋପାଳପୁର ବନ୍ଦର ଏବେ ଅନ୍ୟାନ୍ୟ ଆବଶ୍ୟକତା ସମେତ ବୃହତ୍ତ ଜାହାଜ ଧାରଣା କ୍ଷମତା ଉପଯୋଗୀ ହେବା ଲାଗି ଏହାର ସଂପ୍ରାସରଣ କାର୍ଯ୍ୟ ହାତକୁ ନିଆଯାଇ ଡ୍ରେଜିଂ କାମ କରାଯାଉଛି । ଡ୍ରେଜିଂ କାମ ସଂପୂର୍ଣ୍ଣ ହେଲେ ଏହି ବନ୍ଦର ଆଧୁନିକ ତଥା ବୃହତ୍ତ ଜାହାଜ ଧାରଣ କରିପାରିବା, ଯାହାକି ଏହାର ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବ ବୋଲି ଶ୍ରୀ ସାବୁ କହିଛନ୍ତି ।


