ଗ୍ୟାସଗାଡି ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ ଜଣେ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବଜାର ନିକଟସ୍ଥ ସାନ୍ନା ଛକରେ ସୋମବାର ଦିନ ୧.୪୯ ମିନିଟ୍ ପାଖାପାଖି ସମୟରେ ଏକ ଇଣ୍ଡେନ ଗ୍ୟାସ ସିଲିଣ୍ଡର ଗାଡି ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇ ଅଙ୍ଗନବାଡ଼ି ଦିଦି ଏବଂ ଜଣଙ୍କ ସ୍ବାମୀଙ୍କୁ ହଠାତ୍ ଆସି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଅଙ୍ଗନବାଡ଼ି ଦିଦିଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ସ୍ବାମୀ ଏବଂ ଅନ୍ୟ ଜଣେ ଅଙ୍ଗନବାଡ଼ି ଦିଦି ଗୁରୁତର ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ସୁକୁରା ମୁଣ୍ଡା(୪୫)ଙ୍କ ମୃତ୍ୟୁ ହୋଇଥିଲା ।ସୁକୁରା ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ ମୁଣ୍ଡା (୪୦) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ଅନ୍ୟ ଜଣେ ଅଙ୍ଗନବାଡ଼ି ଦିଦି ନିରୁପମା ହେମ୍ବ୍ରମ (୪୫)ଙ୍କ ପିଠିରେ ମାଡ଼ ହୋଇଛି ,ସେ ମଧ୍ୟ ଗୁରୁତର । ସୂଚନାଯୋଗ୍ୟ ଯେ ଆଜି ବିଶୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି ଦିଦି ମାନଙ୍କର ଏକ ବୈଠକ ଥିଲା ।ବୈଠକ ସାରି ସେମାନେ ଘରକୁ ଫେରିବା ପାଇଁ ଆସି ସାର୍ନା ଛକରେ ଠିଆ ହୋଇଥିଲାବେଳେ ଏଭଳି ଏକ ଅଭାବନୀୟ ଦୁର୍ଘଟଣାର ଶିକାର ହୋଇଥିଲେ । ଖବର ପାଇ ଅଙ୍ଗନବାଡ଼ି ସଂଘର କର୍ମକର୍ତ୍ତା ମାନେ ରାଇରଙ୍ଗପୁର ଡାକ୍ତରଖାନା ଛୁଟି ଆସିଥିଲେ,ରାଇରଙ୍ଗପୁର ହସ୍ପିଟାଲରେ ଜନଗହଳି ହୋଇଛି । ସେଠାରେ ଏକ ଶୋକାକୁଳ ପରିବେଶ ହୋଇଛି ।ମୃତ ସ୍ବାମୀ ସ୍ତ୍ରୀ ଙ୍କ ଘର ବିଶୋଇ ଥାନା ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରୀଆ ପଞ୍ଚାୟତର ଅସନଶିକଳ ଗାଁ ଏବଂ ଗୁରୁତର ନିରୁପମାଙ୍କ ଘର ଘୋଳାବିନ୍ଧା । ଗୁରୁତର ନିରୁପମା ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।ମୃତ ବ୍ୟକ୍ତିଙ୍କ ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର କୁ ହସ୍ତାନ୍ତର କରା ଯିବ |


