ଘଟଣାର ୮ ବର୍ଷ ପରେ ନରହରି ସେଠୀଙ୍କ ପରିବାର ଆଂଶିକ ନ୍ୟାୟ ପାଇବେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-୨୦୧୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଆଖଡ଼ାଶାଳ ଗ୍ରାମର ନରହରି ସେଠୀ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଓଡ଼ିଶା ମାନବାଧିକାର କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଅତ୍ୟାଚାରିତ ପରିବାରକୁ ମାସିକ ୩ ହଜାର ଟଙ୍କା ପେନସନ, ପିଲାଙ୍କ ଶିକ୍ଷା, ୩ ମାସର ରାସନ ସାମଗ୍ରୀ ଆସନ୍ତା ୪ ମାସ ମଧ୍ୟରେ ଯୋଗାଇ ଦେବାକୁ ମାନ୍ୟବର କମିଶନ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ସୁପାରିଶ କରିଛନ୍ତି । ଏହି ସୁପାରିଶ କାର୍ଯ୍ୟକାରୀ ହେଲେ ଘଟଣାର ୮ ବର୍ଷ ପରେ ନିର୍ଯ୍ୟାତିତ ପରିବାର ଆଂଶିକ ନ୍ୟାୟ ପାଇବାର ଆଶା ସଞ୍ଚାରିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ଓ ୨୦୧୪ ମଧ୍ୟରେ ନରହରିଙ୍କ ପରିବାର ଉପରେ ଚାରିଥର ଆକ୍ରମଣ ହୋଇଥିବା ମାମଲା ଗୁଡ଼ିକ ଅଦ୍ୟାବଧି ବିଭିନ୍ନ ବିଚାରାଳୟରେ ପଡ଼ିରହିଛି ଏବଂ ଦୋଷୀମାନେ ଦଣ୍ଡିତ ହୋଇନାହାଁନ୍ତି । ଘଟଣାର ବିବରଣୀରୁ ଜଣାପଡ଼ିଛି ଯେ ଆଖଡ଼ାଶାଳ ଗ୍ରାମରେ ନରହରି ସେଠୀ ଅନୁସୂଚିତ ଜାତିର ହୋଇଥିଲେ ମଧ୍ୟ ନିଜର ପରିଶ୍ରମ ଓ ଉଦ୍ୟମ ବଳରେ ଆର୍ଥିକ ସ୍ୱଚ୍ଛଳତା ହାସଲ କରିଥିଲେ । ଏହା ଫଳରେ ସେହି ଗ୍ରାମର କିଛି ସବର୍ଣ୍ଣମାନେ ନରହରି ସେଠୀଙ୍କ ପରିବାର ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ୨୦୧୧ ମସିହାରେ ଘର ପୋଡ଼ିବା ଓ ସଂଘବଦ୍ଧ ଆକ୍ରମଣ କରିବା ପରେ ୨୦୧୩ ମସିହାରେ ଆକ୍ରମଣକାରୀମାନେ ଘର ପୋଡ଼ିବା ସହିତ ନରହରି ସେଠୀଙ୍କ ପତ୍ନୀ ନିର୍ମଳା ସେଠୀଙ୍କ ଗୋଡ଼କୁ ହାଣି ଦେଇଥିଲେ । ୨୦୧୪ ମସିହାରେ ପୁନଶ୍ଚ ସଂଘବଦ୍ଧ ଆକ୍ରମଣ କରି ନରହରି ସେଠୀଙ୍କୁ ହତ୍ୟା କରିଥିଲେ । ୨୦୧୩ ମସିହା ଆକ୍ରମଣ ପରେ ନିର୍ମଳା ସେଠୀ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନପାରି ଭିନ୍ନକ୍ଷମରେ ପରିଣତ ହୋଇଥିଲେ । ଏଭଳି ବାରମ୍ବାର ଜାତିଭିତ୍ତିକ ଅତ୍ୟାଚାର ଓ ବିଭତ୍ସ ହତ୍ୟା ଘଟଣାରେ ଆଇନ ଅନୁସାରେ ସଠିକ୍ ଭାବରେ ଆର୍ଥିକ ସହାୟତା ଓ ଥଇଥାନ ବ୍ୟବସ୍ଥା କରାଯାଇନଥିଲା । ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଏହି ଘଟଣାରେ ହସ୍ତକ୍ଷେପ କରି ୨୦୧୯ ମସିହାରେ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ନିର୍ଯ୍ୟାତିତ ପରିବାର ତରଫରୁ ବିଚାର ମଞ୍ଚର ସଭାପତି ଶ୍ରୀ ସଂଗ୍ରାମ କେଶରୀ ମଲିକ ଉକ୍ତ ମାମଲା ଉପସ୍ଥାପନା କରିଥିଲେ । ସମ୍ପ୍ରତି ଓଡ଼ିଶା ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ୦୧.୦୧.୨୦୧୫ରିଖ ଠାରୁ ପେନସନ ଦେବା, ନିର୍ଯ୍ୟାତିତ ପରିବାରକୁ ଥଇଥାନ କରିବା ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସୁପାରିଶ ରହିଛି ।


