ଘରୋଇ ସ୍କୁଲ ବସ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୩୬ ନଂ ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ରାଳବ ଛକ ନିକଟରେ ଏକ ଘରୋଇ ସ୍କୁଲ ବସ୍ (ଓଆର୦୨ ଏକ୍ସ ୬୨୫୬) ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ବିଜୟ ପ୍ରଧାନ (୬୨) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ବଡ ଡାକ୍ତରଖାନା ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଓ ସାଇକେଲକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଶନିବାର ସକାଳେ ହିଞ୍ଜିଳିକାଟୁ ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟର ବସ୍ ନନ୍ଦିକ ଠାରୁ ଶିକ୍ଷାର୍ଥୀଙ୍କୁ ନେଇ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ବିଜୟ ସାଇକେଲ ଯୋଗେ ଘରୁ ନିକଟସ୍ଥ ବିଲକୁ ଯାଉଥିବା ବେଳେ ରାଳବ ଛକ ନିକଟରେ ରାସ୍ତା ଉପରେ ସମ୍ମୁଖ ଭାଗରୁ ସାଇକେଲକୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ବିଜୟ ଗୁରୁତର ଆହତ ହୋଇଥିଲେ। ପ୍ରକାଶ ଥାଉକି ହିଞ୍ଜିଳିକାଟୁ ଅଞ୍ଚଳର ବହୁ ଘରୋଇ ବିଦ୍ୟାଳୟରେ ନିୟୋଜିତ କିଛି ଯାତ୍ରୀବାହୀ ବସ୍, ଭ୍ୟାନ ଗୁଡିକର ଫିଟନେସ ଓ ପରମିଟ ନଥାଇ ଶିକ୍ଷାର୍ଥୀ ମାନଙ୍କୁ ନେବା ଆଣିବା କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ସଂପୃକ୍ତ ଯାନବାହାନ ଗୁଡିକ ଦୂର୍ଘଟଣା ଘଟି କୋମଳମତି ଶିକ୍ଷାର୍ଥୀ ମାନେ ଆହତ ହେଉଥିବା ନଜିର ରହିଛି। ଏପରିକି ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ମାନଙ୍କୁ ବୋଝେଇ କରି ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଏ ଦିଗରେ ପୁଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଦୃଷ୍ଟି ପ୍ରଦାନ କରି ବିନା ପରମିଟ, ଫିଟନେସ ଓ ଆବଶ୍ୟକ ଠାରୁ ଅଧିକ ଶିକ୍ଷାର୍ଥୀଙ୍କୁ ନେଇ ଯାତାୟତ କରୁଥିବା ଗାଡି ମାଲିକ ଓ ନିୟୋଜିତ ହୋଇଥିବା ବିଦ୍ୟାଳୟ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


