ଚମକହୀନ କଟକ ଦଶହରା

କଟକ, (ଦୀପକ୍ କୁମାର ବେଉରା):ସୁନାଚାନ୍ଦିରେ ଝଲସୁଥିବା କଟକ ଦଶହରା ଏଥର ବି ଚମକହୀନ ହୋଇପଡ଼ିଛି। ଯେଉଁଠି ୧୦୦ କ୍ବିଣ୍ଟାଲ ଚାନ୍ଦି, ୬୦ କିଲୋରୁ ଅଧିକ ସୁନାରେ ଝଲସୁଥିଲା ସହର ସେହି ସହରରେ ଆଜି ନା ମଣ୍ଡପରେ ଶୋଭା ପାଉଛି ଚାନ୍ଦି ମେଢ଼, ନା ମାଙ୍କ ମସ୍ତକରେ ‌ଚମକୁଛି ସୁନା ମୁକୁଟ। ରାସ୍ତା କି ମଣ୍ଡପରେ ରଙ୍ଗବେରଙ୍ଗର ଆଲୋକମାଳା ବି ନାହିଁ। ମହାମାରୀ କରୋନା ୫ଶହ ବର୍ଷର ପ୍ରାଚୀନ ପରମ୍ପରା ସମେତ କଟକିଆଙ୍କ ଉତ୍ସାହ ଓ ଆବେଗକୁ ସଂପୂର୍ଣ୍ଣ ହଜାଇ ଦେଇଛି। ଚଳିତବର୍ଷ କେବଳ ଚ‌ୌଧୁରୀବଜାର ଓ କାଜିବଜାରକୁ ଛାଡିଦେଲେ ଅନ୍ୟ ସମସ୍ତ ମଣ୍ଡପ କାମଚଳା ଢଙ୍ଗରେ ଛୋଟ ଜରି ମେଢ଼ ମଣ୍ଡପରେ ସଜାଇଛନ୍ତି। ସୁନା ମୁକୁଟ ସମେତ ମାଙ୍କ ସାଜ ଓ ଆଭୂଷଣ ମଧ୍ୟ ପୂଜାରେ ଲାଗି ପାରିନାହିଁ। ସୋମବାର ମହାଷଷ୍ଠୀ ତିଥିରେ ବିଲ୍ବବରଣୀ ନୀତି ‌ହୋଇଥିଲେ ମଧ୍ୟ ସାହିବାସୀଙ୍କ ମଧ୍ୟରେ ଯେଉଁ ପ୍ରକାର ଆନନ୍ଦଉଲ୍ଲାସ ଦେଖାଦେବା କଥା ସେଭଳି କିଛି ପରିଲକ୍ଷିତ ‌ହୋଇନାହିଁ। କେବଳ ନୀତି ସଂପନ୍ନ ହେଉଥିବା ଦେଖାଯାଇଛି। ଦୁର୍ଗାପୂଜା ପାଇଁ କଟକିଆମାନେ ବର୍ଷ ତମାମ ଅପେକ୍ଷା କରିଥା’ନ୍ତି। ୧୫୧୦ରେ ବିନୋଦବିହାରୀ ମଣ୍ଡପରେ ଚୈତନ୍ୟ ମହାପ୍ରଭୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ଦୁର୍ଗା ପୂଜା ପରବର୍ତ୍ତୀ ସମୟରେ ସମଗ୍ର କଟକକୁ ବ୍ୟାପିଯାଇଥିଲା। ଏବେ ୧୭୫ ମଣ୍ଡପରେ ଦୁର୍ଗା, ମହାଦେବ ଆଦି ଠାକୁରଠାକୁରାଣୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ୧୯୫୬ ମସିହାରେ ‌ପ୍ରଥମେ ଚୌଧୁରୀବଜାରରେ ଚାନ୍ଦିମେଢ଼ ଶୋଭାପାଇଥିବା ବେଳେ ‌ଏବେ କଟକରେ ୨୭ଟି ବିଶାଳ ଚାନ୍ଦିମେଢ଼ ଦଶହରାରେ ପୂଜା ହୋଇଥା’ନ୍ତି। ସହରର ୮ଟି ପୂଜା ମଣ୍ଡପ ମା’ ଦୁର୍ଗାଙ୍କ ସମେତ ପାର୍ଶ୍ବଦେବାଦେବୀଙ୍କ ପାଇଁ ସୁନା ମୁକୁଟ ତିଆରି କରି ସାରିଛନ୍ତି। ଚାନ୍ଦିମେଢ଼, ସୁନା ମୁକୁଟ ବ୍ୟତୀତ ସମସ୍ତ ‌ମଣ୍ଡପର ସୁନା ଓ ରୂପା ଆଭୂଷଣମାନ ମଧ୍ୟ ରହିଛି। ଏ ବ‌ର୍ଷ କଲେଜଛକ ପୂଜା ପ୍ରତିଷ୍ଠାନ ସାଢ଼େ ୩ କୁଣ୍ଟାଲର ଚାନ୍ଦିମେଢ଼ ସଂପୂର୍ଣ୍ଣ ନିର୍ମାଣ କରିଛନ୍ତି। କିନ୍ତୁ କରୋନା କଟକଣା ପାଇଁ ପୂଜାରେ ଚାନ୍ଦିମେଢ଼ ବ୍ୟବହାର କରି ପାରିନାହାନ୍ତି ବୋଲି ପୂଜା କମିଟି ସଂପାଦକ ଜଗନ୍ନାଥ ସାହୁ ସୂଚନା ଦେଇଛନ୍ତି। ‌ଚୌଧୁରୀବଜାର ଦୁର୍ଗା ପଞ୍ଚାୟତ କମିଟି ପକ୍ଷରୁ ଚଳିତ ବ‌ର୍ଷ ଚାନ୍ଦିମେଢ଼ ସମେତ ସୁନାମୁକୁଟ ବ୍ୟବହାର କରିଛନ୍ତି। ପୂର୍ବରୁ ଚୌଧୁରୀବଜାର ମେଢ଼ାରେ ୭ଟି ସୁନା କଲିକା, ଗୋଟିଏ ସୁନା ଓଁ ଲାଗିଥିବା ବ‌େଳେ ଏବର୍ଷ ଆଉ ଦୁଇଟି ସୁନା କଲିକା ତିଆରି ‌ହୋଇଛି। ଅର୍ଥାତ୍‌ ଚୌଧୁରୀବଜାର ମେଢ଼ରେ ମୋଟ ୯ଟି ସୁନାକଲିକା, ସୁନା ଓଁ, ମାଦୁର୍ଗା ଓ ପାର୍ଶ୍ବଦେବାଦେବୀଙ୍କ ପାଇଁ ପାଖାପାଖି ୩୫ କିଲୋ ସୁନା ବ୍ୟବହାର ହୋଇଛି। ଏହା ବ୍ୟତୀତ କାଜିବଜାର ପୂଜା ମଣ୍ଡପରେ ଲକ୍ଷ୍ମୀପୂଜା ପାଇଁ ଉଦ୍ଦିଷ୍ଟ ଛୋଟ ଚାନ୍ଦ‌ିମେଢ଼ ଓ ମଙ୍ଗଳାବାଗ୍ ପୂଜା ମଣ୍ଡପରେ ମାଙ୍କ ସୁନାମୁକୁଟ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ