ଚମକିଲେ ସାଇ ପଲ୍ଲବୀ: ଫୋର୍ବସ ‘୩୦ ଅଣ୍ଡର ୩୦’ ତାଲିକାରେ ଏକମାତ୍ର ଅଭିନେତ୍ରୀ
ଫୋର୍ବସ ଇଣ୍ଡିଆ ପକ୍ଷରୁ ସପ୍ତମ ଥର ପାଇଁ ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ଜାରି କରାଯାଇଛି। ଏଥିରେ ଦେଶର ସବୁଠୁ ପ୍ରଭାବଶାଳୀ ୩୦ ବର୍ଷରୁ କମ୍ ଉଦ୍ୟୋଗୀ, ପେସାଦାର, ପରଫର୍ମର, କଳାକାରମାନଙ୍କୁ ସ୍ଥାନିତ କରାଯାଇଛି। ଏହି ତାଲିକାରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ ଓ ୟୁ ଟ୍ୟୁବ୍ ସେନ୍ସେସନ ଭୁବନ ବାମ ସେମାନଙ୍କ ସ୍ଥାନ ପକ୍କା କରିଛନ୍ତି। ଚେନ୍ନାଇର ଗର୍ଜିଅସ ଅଭିନେତ୍ରୀ ସାଇ ପଲ୍ଳବୀ ଏକମାତ୍ର ଅଭିନେତ୍ରୀ ରୂପେ ଏହି ତାଲିକାରେ ସ୍ଥାନ ପାଇଛନ୍ତି।
ଏହି ଖବର ଜଣାପଡ଼ିବା ମାତ୍ରେ ପଲ୍ଲବୀ ତାଙ୍କ ଟ୍ବିଟର ହାଣ୍ଡେଲରେ ପୋଷ୍ଟ କରି ଲେଖିଥିଲେ ଯେ ଫୋର୍ବସର ‘୩୦ ଅଣ୍ଡର ୩୦’ ତାଲିକାରେ ମୋତେ ସ୍ଥାନିତ କରାଯାଇଥିବାରୁ ମୁଁ ବେଶ୍ ଗର୍ବ ଅନୁଭବ କରୁଛି। ନିଶ୍ଚିତ ରୂପେ ଏହା ମୋ ପାଇଁ ବେଶ୍ ସମ୍ମାନଜନକ। ସୂଚନାଯୋଗ୍ୟ ୨୦୧୯ରେ ପଲ୍ଲବୀ ଫେୟାରନେସ କ୍ରିମ ଦୁଇ କୋଟିର ଏକ ବିଞାପନ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ, ସେ କହିଥଲେ ଯେ ଏତେ ଅଧିକ ଅର୍ଥ ନେଇ ମୁଁ କ’ଣ କରିବି। ମୋତେ ଘରେ ଖାଇବା ପାଇଁ ୩ଟି ରୁଟି ଓ କିଛି ଭାତ ଦରକାର। ଏହାଠୁ ଅଧିକ ମୋର କିଛି ଆବଶ୍ୟକ ନାହିଁ। ବରଂ ମୋ ଚାରିପଟେ ଥିବା ଲୋକମାନଙ୍କୁ ମୁଁ କିପରି ଖୁସି ଦେଇପାରିବି, ତାହାକୁ ମୁଁ ଗୁରୁତ୍ବ ଦିଏ। ତାଙ୍କର ଏଭଳି ଅଭିବ୍ୟକ୍ତି ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।
ସେହିପରି ସେ ଏକ କପଡ଼ା ବ୍ରାଣ୍ଡର ବିଜ୍ଞାପନ ପାଇଁ ପାଇଥିବା ଅଫରର ଏକ କୋଟି ଟଙ୍କାର ଚେକ୍ ମଧ୍ୟ ଫେରାଇ ଦେଇଥିଲେ। ସିନେମାରେ ଡେବ୍ୟୁ କରିବାର ୫ ବର୍ଷ ମଧ୍ୟରେ ପଲ୍ଲବୀ ଦକ୍ଷିଣ ଭାରତୀୟ ସିନେମାରେ ବିଭିନ୍ନ ଚରିତ୍ରରେ ଦମ୍ଦାର ଅଭିନୟ କରି ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ଛାଡ଼ି ପାରିଛନ୍ତି। ଏଥି ସତ୍ତ୍ବେ ବି ସେ ସମସ୍ତଙ୍କୁ ଚମକାଇ ହଠାତ୍ ଫିଲ୍ମ କ୍ୟାରିଅରରୁ ବ୍ରେକ ନେଇ ଡାକ୍ତରୀ ଡିଗ୍ରୀ କରିବାକୁ ଆଗଭର ହୋଇଥଲେ। ଏହାପରେ ସେ ପୁଣି ସିନେ ଦୁନିଆକୁ ଫେରି ୨୦୧୭ରେ ଶେଖର କାମୁଲାଙ୍କ ତେଲୁଗୁ ଫିଲ୍ମ ‘ଫିଦା’ରେ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ମନ ମୋହିନେଇଥଲେ। ଭାନୁମତୀ ଚରିତ୍ରରେ ତାଙ୍କ ହୃଦୟଛୁଆଁ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ୨୭ ବର୍ଷୀୟା ପଲ୍ଲବୀ ‘ଲଭ ଷ୍ଟୋରୀ’ ଫିଲ୍ମରେ ନାଗା ଚୈତନ୍ୟଙ୍କ ସହ ରୋମାନ୍ସ କରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥଲେ। ସେ ବେଣୁ ଉଦୁଗାଲାଙ୍କ ପିରିଅଡ ଡ୍ରାମା ‘ବିରାଟ ପର୍ବମ’ରେ ରାଣା ଦଗୁବତୀ, ନନ୍ଦିତା ଦାସ ଓ ପ୍ରିୟମଣିଙ୍କ ସହ ପ୍ରମୁଖ ଚରିତ୍ରରେ ମଧ୍ୟ ନଜର ଆସିଥିଲେ।


