ଚାରି ବାମପନ୍ଥୀ ଦଳର ରାଜ୍ୟ ନେତୃତ୍ୱଙ୍କ ଖରସ୍ରୋତା ପ୍ରକଳ୍ପ ସ୍ଥଳ ଗସ୍ତ : କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା ପରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଦାବି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସିପିଆଇ(ଏମ), ସିପିଆଇ, ସିପିଆଇ(ଏମଏଲ ଲିବରେସନ) ଓ ଫରୱାଡ ବ୍ଲକ ପକ୍ଷରୁ ଏକ ମିଳିତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ପ୍ରତିନିଧି ଦଳ ରାଜକନିକାର ଭାରିଗଦାଠାରେ ନିର୍ମାଣାଧିନ ଖରସ୍ରୋତା ନଦୀ ପାନୀୟ ଜଳ ପ୍ରକଳ୍ପ ସ୍ଥଳକୁ ଗସ୍ତ କରିବା ସହିତ ଖରସ୍ରୋତା ସଂଗ୍ରାମ ସମିତିର ନେତୃତ୍ୱ ଓ ସ୍ଥାନୀୟ କ୍ଷରିଗ୍ରସ୍ତ ଅଧିବାସୀଙ୍କ ସହିତ ଆଲୋଚନା କଲାପରେ କେନ୍ଦ୍ରାପଡା ସଦରମହକୁମାକୁ ପ୍ରତ୍ୟାବର୍ତ୍ତନ କରି ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସାକ୍ଷାତ କରିବାକୁ ଯାଇଥିଲେ । କିନ୍ତୁ ଜିଲାପାଳଙ୍କ ସାକ୍ଷାତ ନ ମିଳିବାରୁ ଗରାପୁର ଡାକବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିବାଦୀୟ ଖରସ୍ରୋତା ନଦୀ ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ (ଏମଏଲ ଲିବେରେସନ) କେନ୍ଦ୍ରୀୟ କମିଟି ସଭ୍ୟ ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଫରୱାର୍ଡ ବ୍ଲକ ରାଜ୍ୟ ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର, ସିପିଆ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ପୁଷ୍ପା ଦାସ, ସିପିଆଇ ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ସିଂଦେଓ, ଜୟନ୍ତ ଦାସ, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ବାବାଜୀ ଧଳ, ଆଦିକନ୍ଦ ରାଉଳ, ଫରୱାର୍ଡ ବ୍ଲକ ନେତା ବେଣୁଧର ହରିଚନ୍ଦନ, ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ ପ୍ରମୁଖ ଆଳି ଓ କନିକା ବାସୀଙ୍କ ଉପରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଚଳାଇଥିବା ଦମନଲୀଳାକୁ ଦୃଢ ଭାବେ ନିନ୍ଦା କରିଥିଲେ । ନୀରିହ ଲୋକମାନଙ୍କ ନାମରେ କରାଯାଇଥିବା ମିଥ୍ୟା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବା ସହିତ ଖରସ୍ରୋତା ନଦୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭିତରକନିକାର ଜୈବବିବିଧତା ସମ୍ପୂର୍ଣ୍ଣ ଲୋପ ପାଇବ ଏବଂ ଉଠା ଜଳସେଚନ ପଏଣ୍ଟ୍ ଗୁଡିକ ନଷ୍ଟ ହୋଇଯିବ । ଲୋକମାନେ ଚାଷ କରିବା ପାଇଁ ଏବଂ ପିଇବା ପାଇଁ ପାଣି ମୁନ୍ଦେ ପାଇବେ ନାହିଁ । ପ୍ରଶାସନର ଦମନ ଲୀଳାରେ ଲୋକମାନେ ଅତ୍ୟନ୍ତ ଭିତତ୍ରସ୍ଥ ଅବସ୍ଥାରେ ଅଛନ୍ତି । ପ୍ରଥମେ ସେ ଅଞ୍ଚଳର ଲୋକମାନଙ୍କ ମନରୁ ଭୟ ଦୂର କରାଯିବା ସହିତ ଲୋକଙ୍କ ସହ ଖୋଲା ମନରେ ସରକାର ଆଲୋଚନା କରନ୍ତୁ । ଯଦି ସରକାର ଏଭଳି ଦମନଲୀଳା ଜାରି ରଖନ୍ତି ତେବେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବାମପନ୍ଥୀ ନେତାମାନେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବାମପନ୍ଥୀ ନେତାମାନେ ଭୁବନେଶ୍ୱରରେ ରାଜ୍ୟପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇବେ ବୋଲି ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ