୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ କୋଭିଡ କଟକଣା ଅନୁପାଳନ ପୂର୍ବକ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଯେଉଁ ମହାମାନବ ମାନେ ବହୁ କଷ୍ଟ ସ୍ୱୀକାର କରି ଆମକୁ ସ୍ୱାଧୀନତା ଦେଇଛନ୍ତି । ସେମାନଙ୍କର କଷ୍ଟଲବ୍ଧ ସ୍ୱାଧୀନତାକୁ ଆମେ ସମଗ୍ର ଭାରତବାସୀ ମନେ ରଖିବା ଉଚିତ ବୋଲି ନିଜ ଅଭିଭାଷଣରେ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆମ ଗଣତନ୍ତ୍ରକୁ ସମୃଦ୍ଧ ଓ ସଶକ୍ତ କରିବାରେ ପ୍ରତ୍ୟେକ ନାଗରିକଙ୍କର ଗୁରୁ ଦାୟିତ୍ୱ ରହିଛି । ଏହି ଦାୟିତ୍ୱ ନିର୍ବାହ ସହ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କୁ ସାଥିରେ ନେଇ ସାମାଜିକ ଅସ୍ୱୟା ଦୂର କରି ଏକ ପରିପକ୍ୱ ଓ ପରିପୃଷ୍ଠ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ବ୍ରତୀହେବା ଏବଂ ବିକାଶ ପଥରେ ସହଭାଗୀ ହେବା ପ୍ରତ୍ୟେକ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ କହିଥିଲେ । ସ୍ୱାଧୀନତାର ମୂଲ୍ୟବୋଧକୁ ଆମ ସମସ୍ତଙ୍କୁ ମନେ ରଖିବାକୁ ପଡିବ । ସେହି ମୂଲ୍ୟବୋଧ ହିଁ ଆମ ଜାତିକୁ, ଆମ ସମାଜକୁ ଏବଂ ଆମ ସମସ୍ତଙ୍କୁ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର କରିବାରେ ସହାୟକ ହେବ । ମହାତ୍ମାଗାନ୍ଧିଙ୍କର ଦାଣ୍ଡିଯାତ୍ରା ଓ ଅସହଯୋଗ ଆନ୍ଦୋଳନ ହେଉ କି ନେତାଜୀ ସୁବାଷ ବୋଷଙ୍କର ଆଜାଦ ହିନ୍ଦ ଫୌଜ ଗଠନ ହେଉ, ପ୍ରତ୍ୟେକ ସଂଗ୍ରାମରୁ ଆମକୁ ଅନେକ କିଛି ଶିଖିବାର ଅଛି । ଆମ ଜୀବନ, ଜୀବିକା ଓ ରାଷ୍ଟ୍ରକୁ ସମୃଦ୍ଧ କରିବାକୁ ହେଲେ ସ୍ୱାଧୀନତାର ମୂଲ୍ୟବୋଧକୁ ବୁଝିବା ଏବଂ ବଜାୟ ରଖିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ । ଆମ ଜିଲ୍ଲା ବିକାଶ ପଥରେ ଆଗେଇ ଚାଲିଛି । ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ସବୁ ଘରକୁ ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା କରାଯିବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖାଦ୍ୟ ନିରାପତା ଆଇନ ଅନ୍ତର୍ଭୁକ୍ତ ସମସ୍ତ ପରିବାରକୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ । ଆମ ଜିଲ୍ଲାରେ ୪ଲକ୍ଷ ୭୦ହଜା ରଲୋକଙ୍କୁ କୋଭିଡର ପ୍ରଥମପାନ ଓ ୧ଲକ୍ଷ ୩୦ହଜାର ଲୋକଙ୍କୁ ଦ୍ୱିତୀୟପାନ ଟୀକା କରଣ କରାଯାଇଛି । ଅବଶିଷ୍ଟ ଲୋକଙ୍କୁ ଟୀକା କରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ ଏହି ଅବସରରେ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଓ ଆର.ଟି.ପି.ସି.ଆର ଲ୍ୟାବ ପ୍ରତିଷ୍ଠା ଆମମାନଙ୍କ ପାଇଁ ଏକ ଖୁସିର ବାର୍ତ୍ତା ବହନ କରେ । ୫-ଟି ମଡେଲରେ ଜିଲ୍ଲାର ୨୫ଟି ହାଇସ୍କୁଲ ଓ ୫ଶହଟି ପ୍ରାଇମେରୀ ସ୍କୁଲରକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରିମାନଙ୍କ ଶୈକ୍ଷିକ ବ୍ୟବସ୍ଥାରେ ଉନ୍ନତି ସାଧିତ ହେବ ବୋଲି ସେ କହିଥିଲେ । କୋଭିଡରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହ କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲାପାଳ ଶ୍ରୀ ଋତୁ ରାଜ ସମ୍ବର୍ଦ୍ଧିତ କରିଥିଲେ । ଡା ନୃପେନ୍ଦ୍ର କୁମାର ଶତପଥୀ, ଡା ସଚ୍ଚିଦାନନ୍ଦ ମିଶ୍ର, ଡା ମିର୍ଜା ବାବର ବେଗ୍‌, ଡା ସମିର ବରଣ ଦାସ, ଡା ଧର୍ମେନ୍ଦ୍ର ସିଂହ, ଗ୍ରାମ୍ୟ ଶିଶୁ ସ୍ୱାସ୍ଥ୍ୟ ଉପ ପରିଚାଳକ କୃଷ୍ଣ ଚନ୍ଦ୍ର ଲୋହା, ସହକାରୀ ନର୍ସିଂ ଅଧିକ୍ଷିକା ସ୍ୱୟଂପ୍ରଭା ପଣ୍ଡା, ଅର୍ବାନ ଅଶା ହାସିନା ଖାତୁନ୍‌, ଷ୍ଟାଫନର୍ସ ମନୋରମା ଦାସ, ଅଙ୍ଗନୱାଡି କର୍ମୀ ଅରୁନ୍ଧତୀ ଲେଙ୍କା, କବିତା ମଲ୍ଲିକ, ରଶ୍ମୀରେଖା ରାଉତ, ସଫେଇ କର୍ମଚାରୀ ଆଦିକନ୍ଦ ଦଳାଇ, ପ୍ରଭାସ କୁମାର ମାଝି, ସୁରେନ୍ଦ୍ର ନାଏକ, ରଞ୍ଜନ ନାଏକ ପ୍ରମୁଖ ୧୬ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଅତିରିକ୍ତ ଜିଲ୍ଲାପାଳ ( ପ୍ରଶାସନ) ବସନ୍ତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା ଅନିତା ପଟ୍ଟନାୟକ, କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିବା ବେଳେ କର୍ମଚାରୀ ଅଲେଖ ଚନ୍ଦ୍ର ଦାଶ,ରଞ୍ଜନ କୁମାରବେହେରା, ମଧୁସୁଦନ ମଲ୍ଲିକ, ଅଶୋକ କୁମାର ବଳିଆରସିଂ, ତପନ କୁମାର ପରିଡା ଓ ବୀରବର ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ