ଚାଷୀଙ୍କ କ୍ଷତି ଭରଣା ପାଇଁ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ଚାଷୀମାନଙ୍କ ଫସଲ କ୍ଷୟକ୍ଷତିର ଭରଣା କରିବା ପାଇଁ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ବିଭାଗ ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅମଳ ହେବା ଅବସ୍ଥାରେ ଥିବା ଜିଲ୍ଲାର ସମସ୍ତ ଚାଷ ଜମିର ଧାନ ଫସଲ ସମେତ ବିରି ଓ ପନିପରିବା ପ୍ରଭୃତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଧାନ ବୁଣିବା ଓ ରୋଇବା ସମୟରେ ଉପଯୁକ୍ତ ମାନର ଓ ଯଥେଷ୍ଟ ପରିମାଣର ଧାନ ବିହନ ଯୋଗାଇ ଦେବାରେ ଅବହେଳା ଓ ବେଉଷଣ ବେଳେ ଆବଶ୍ୟକ ପରିମାଣର ସାର ଯୋଗାଣରେ ସରକାର ଅବହେଳା ପ୍ରଦର୍ଶନ କରିବାରୁ ଚାଷୀମାନେ ବ୍ୟାଙ୍କ ଋଣ ଏବଂ ଧାର କରଜ କରି ଚଢା ଦରରେ ବିହନ ଓ ସାର କିଣି ଫସଲ ଲଗାଇଥିଲେ । ଅମଳ ପରେ ଚାଷୀମାନେ ସେହି ସବୁ ଋଣ ସୁଝିବାକୁ ଆଶା ବାନ୍ଧି ବସିଥିଲେ । ଶେଷରେ ବହୁ ପ୍ରତିକ୍ଷିତ ସୁନାର ଫସଲ ଅମଳ କରିବାକୁ ଯାଉଥିବା ବେଳେ ପ୍ରକୃତି ଦାଉ ସାଧିଲା । ଲଘୁଚାପ ଜନିତ ବର୍ଷାରେ ଓ ଜଳ ନିଷ୍କାସନରେ ସରକାରଙ୍କ ବିଫଳତା ଯୋଗୁଁ ସମଗ୍ର ଜିଲ୍ଲାର ଫସଲ ସମ୍ପୂର୍ଣ୍ଣ ପାଣିରେ ବୁଡି ରହି ଗଜା ହେବା ସହିତ ପଚିଗଲା । ଲୁହ, ଲହୁ ଢାଳି ଓ ଧାର କରଜ କରି ଲଗାଇଥିବା ଫସଲ ଉଜୁଡି ଯିବା ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ଲୁହ ଗଡାଉଛନ୍ତି । ଅତିତର ଅଭିଜ୍ଞତା ଅନୁଯାଇ କ୍ଷତି ପୂରଣ ଦେବା ପାଇଁ ସରକାରୀ ଘୋଷଣା ପ୍ରହସନରେ ପରିଣତ ହୋଇଥାଏ । ଅମଳ କରିବାକୁ ଥିବା ଫସଲ ବିିକିବା ଦୂରର କଥା ନିଜ ପରିବାର ମୁହଁରେ ଦାନା ଦେବା ପାଇଁ ଧାନ ଗଣ୍ଡାକ ମଧ୍ୟ ମିଳିବାର ସମ୍ଭାବନା ନାହିଁ । ଏହି ପରିପ୍ରେକ୍ଷିରେ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ପକ୍ଷରୁ ଜିଲ୍ଲାର ସମସ୍ତ କେନାଲରେ ଡାଳୁଅ ଧାନ ଚାଷ ପାଇଁ ଜଳ ଯୋଗାଣ, ସମସ୍ତ ଉଠା ଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରାଯିବା ସହିତ ସମସ୍ତ ଚାଷୀଙ୍କୁ ମାଗଣାରେ ବିହନ, ସାର ଓ ବିଷୋଧନ ଔଷଧ ଯୋଗାଇ ଦିଆଯିବା ସହ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ତୁରନ୍ତ କ୍ଷତି ପୁରଣ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ପଛୁଆ ବର୍ଗ ବିଭାଗ ଅଧ୍ୟକ୍ଷ ବିଧୁଭୂଷଣ ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ମୀର ମୁର୍ଶିଦ, ନିରଞ୍ଜନ ପରିଡା, ସମ୍ବିତ ଶ୍ରୀଚନ୍ଦନ, ଉମେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦାବି ପତ୍ରର ନକଲ ମୁଖ୍ୟମନ୍ତ୍ରୀ, ଜଳସେଚନ, କୃଷି ଓ ସମବାୟ ମନ୍ତ୍ରୀ, ଜିଲ୍ଲା କୃଷି ଅଧିକାରୀ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ତନାର ଗ୍ରାମ୍ୟ ରାସ୍ତା କାର୍ଯ୍ୟ ଉନ୍ନତମାନର କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ