ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି ଗଜପତି;ପୁଣି୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗଞ୍ଜେଇ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି । ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡାଯାଇଛି । ଏକ ସୂଚନାକୁ ଭିତ୍ତି କରି ଆର୍‌.ଉଦୟଗିରି ଥାନାଧିକାରୀଣୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କ ଚଢାଉରେ ନୂଆଗଡ ବ୍ଲକର ଅନୁଗୁରୁ ପଞ୍ଚାୟତର କଟାମା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୬୨ ଏକରରୁ ଉର୍ଦ୍ଧ୍ୱ ଜମିରେ ବେଆଇନ ଭାବେ ଲଗାଯାଇଥିବା ୧,୨୪,୦୦୦ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏନେଇ ଆର୍‌.ଉଦୟଗିରି ଥାନାରେ ୧୨/୨୦ (କ)(ଆଇ) ରେ ମକଦ୍ଦମା ରୁଜୁ ହୋଇଛି । ନୂଆଗଡ ବିଡିଓ ଲାବନ୍ୟେନ୍ଦୁ ମହାନ୍ତି ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ । ଏହି ଚଢାଉରେ ଜଣେ ହେଲେ ଗିରଫ ହୋଇନଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ