ଚୋର ସନ୍ଦେହରେ ତିନି ଯୁବକଙ୍କୁ ଧରିଲେ ଗାଁ ଲୋକେ

ହାଟଡ଼ିହି (ସୌମ୍ୟରଞନ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶାଳଣିଆଁ ପଞ୍ଚାୟତର ଏଲକଣିଆ ଗ୍ରାମରେ ଗତକାଲି ରାତିରେ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ତିନିଜଣ ଯୁବକଙ୍କୁ ଗାଁ ଲୋକେ ତାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଗତ କିଛିଦିନ ହେଲା ଶାଳଣିଆଁ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରୀ ହେଉଥିଲା । ଗତ ଦୁଇଦିନ ତଳେ ଏଲକଣିଆଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ସଟର ଭାଙ୍ଗି ଚୋରୀ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ପରିବାର ଲୋକେ ଉଠି ପଡିବାରୁ ଚୋରମାନେ ଦୌଡି ପଳାଇଥିଲେ । ଗତକାଲି ରାତି ୮ଟାବେଳେ ତିନିଜଣ ଯୁବକ ଏକ ବାଇକରେ ଏଲକଣିଆଁ ଗାଁ ଭିତରେ ଦେଇ ବାରମ୍ବାର ଯିବାଆସିବା କରିବାରୁ ଗାଁ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । ଲାଇନ ନଥିବାବେଳେ ଯୁବକମାନେ ଗାଁ ଭିତରେ ସନ୍ଦେହ ଜନକ ଭାବେ ବାରମ୍ବାର ଯିବା ଆସିବା କରିବାରୁ କିଛି ଯୁବକ ତାଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା କରିଥିଲେ । ସେମାନେ ବାରମ୍ବାର ମତ ପରିବର୍ତ୍ତନ କରିବାରୁ ଗାଁ ଲୋକଙ୍କ ମଧ୍ୟରେ ସନ୍ଦେହ ଦୃଢ଼ିଭୁତ ହୋଇଥିଲା । ଏପରିକି ଯୁବକ ମାନଙ୍କ ମୋବାଇଲରେ ଶାଳଣିଆଁ ବଜାରର ଅନେକ ଭଲ ଭଲ ଦୋକାନର ଫଟୋ ଥିବା ଦେଖିବା ପରେ ଏମାନେ ଚୋରୀ ସନ୍ଦେହରେ ଗାଁକୁ ପସିଥିବା ଜାଣି ଗାଁ ଲୋକେ ଭଲକରି ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ଏ ସମ୍ପର୍କରେ ପୁଲିସକୁ ଜଣାଇବାପରେ ନନ୍ଦିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଧରି ଥାନାକୁ ଆଣିଥିଲା । ଯୁବକ ମାନଙ୍କ ଘର ଆମ୍ବୋ ପଞ୍ଚାୟତର ଶଙ୍ଖୋ ଗ୍ରାମରେ ବୋଲି ଯୁବକମାନେ କହିଛନ୍ତି । ତାଙ୍କ ମଧ୍ୟରେ ଜଣେ ଶାଳବଣି କଲେଜର ଛାତ୍ର ଥିବା ଜଣାଯାଇଛି । ସେମାନେ ଚୋରୀ ଉଦ୍ଦେଶ୍ୟରେ ଯାଇଥିଲେ କି ଅନ୍ୟ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ ପୁଲିସ ସେ ସମ୍ପର୍କରେ ଅଧିକ ପଚରା ଉଚୁରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ