ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ
କୋଦଳା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷକଂ ନାମରେ ବାରମ୍ବାର ଅପପ୍ରଚାର ଓ ମିଥ୍ୟା ଅଭିଯୋଗକୁ ବିରୋଧ କରି ଗୁରୁବାର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଲେଜର ପୁରାତନ ଛାତ୍ର ଛାତ୍ରୀ ଓ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ କଲେଜ କ୍ୟାମ୍ପସ ମଧ୍ୟରେ ନାରାବାଜି ଦେଇଥିଲେ। ବାରମ୍ବାର କଲେଜ ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କୁ ଫସାଇବା ପାଇଁ କିଛି କୁଚକ୍ରୀ ଗୋଷ୍ଠୀ ଅପଚେଷ୍ଟା କରୁଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ମାନେ ଏହାର ଦୃଢ଼ ବିରୋଧ କରିଛନ୍ତି। ଆଗକୁ ପରୀକ୍ଷା ନିକଟତର ହେଉଥିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନ ସଠିକ୍ ପାଇ ପାରୁନଥିବା ଏବଂ କଲେଜକୁ ବଦନାମ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ ଏହି ଘଟଣାକୁ ନେଇ ସେମାନେ କମେଣ୍ଟର ଶିକାର ମଧ୍ୟ ହେଉଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଧ୍ୟକ୍ଷ ନିଷ୍ଠାପର ଭାବେ କ।ର୍ଯ୍ୟ କରୁଥିବାରୁ ଏହି କଲେଜରୁ ଗତ ବର୍ଷ ଜଣେ ଛାତ୍ରୀ ଓଡିଶା ଟପର୍ ହୋଇ କଲେଜ ପାଇଁ ସୁନାମ ଆଣିଛନ୍ତି ଏବଂ ବହୁ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି। ଏଣୁ ଆଗାମୀ ଦିନରେ ଏହି ସୁନାମ ବଜାୟ ରଖିବାକୁ ହେଲେ କଲେଜକୁ ବଦନାମରୁ ମୁକ୍ତ କରିବାକୁ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଆଗାମୀ ଦିନରେ ଅଧ୍ୟକ୍ଷଙ୍କ ନାମରେ ଏଭଳି ଅପପ୍ରଚାର ଓ ମିଥ୍ୟା ମାମଲା ଯଦି ଜାରି ରହେ ତେବେ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ହେବ ଉକ୍ତ କଲେଜର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କ ନାମରେ କିଛି ବିବାଦୀୟ ବକ୍ତବ୍ୟକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା ।


