ଛାତ ନପକାଇ ଟଙ୍କା ଉଠାଇନେବା ଘଟଣା : ଯନ୍ତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକଆମ୍ବୋ ପଞ୍ଚାୟତର ଶଙ୍ଖୋ ଗ୍ରାମର ବାଲିଆ ସାହିରେ ଛାତ ନପକାଇ ସମ୍ପୁର୍ଣ୍ଣ କାମର ବିଲ କରିନେବା ଘଟଣା ରେ ଚତୁର ଯନ୍ତ୍ରୀ ଜଣକୁ ବଞ୍ଚାିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଖବରରୁ ଜଣାଯାଇଛି ଯେ ଏହି ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ଏକ ଘରର ଛାତ ନପକାଇ ସମ୍ପୁର୍ଣ୍ଣ ବିଲ ଉଠାଇ ନେଇଥିଲେ । ଗତ ୨୦୧୮/୧୯ ଆଥିକ ବର୍ଷରେ ଏହି ଗ୍ରାମକୁ ଆମ ଗାଁ ଆମ ବିକାଶ ଯୋଜନାରେ କମୁନିଟି ସେଣ୍ଟର ନିର୍ମାଣ ପାଇଁ ଅଢ଼େଇ ଲକ୍ଷଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ସେହିଅନୁସାରେ ବାଲିଆ ସାହିର ଗାଁ ମୁଣ୍ଡରେ ଆରମ୍ଭ କରାଯାଇଥିଲା ଆମ ଗାଁ ଆମ ବିକାଶ ଯୋଜନାର ଘର । କିନ୍ତୁ ଘରର ଛାତ ପକାଯାଇ ନଥିବାବେଳେ ବାରଣ୍ଡାର ଛାତ ପକାଇ ଓ ଚାରିପାଖର କାନିସ ବାହାର କରି ଘର ନିର୍ମାଣ କରାଗଲା । ସମ୍ମୁଖପଟ ପ୍ଲାଷ୍ଟର କରି ରଙ୍ଗକରାଯାଇ ଦୁଇଟି ଟିଣ କବାଟ ଲଗାଯାଇଛି । ଏପରିକି ଘରର ଭିତରପାଖ ଓ ଘରର ପଛକାନ୍ଥ ପ୍ଲାଷ୍ଟର ହୋଇନି । ଡିସପ୍ଲେ ବୋର୍ଡ ମଧ୍ୟ ନାହିଁ । ଯେ କେହି ବାହାରୁ ଦେଖିବ ଘରଟି ପୁର୍ଣ୍ଣାଙ୍ଗ ହୋଇଛି ଓ ବହୁତ ସୁନ୍ଦର ହୋଇଛି ବୋଲି କହିବ । କିନ୍ତୁ ଘରର ଛାତ ନପଡି ମଧ୍ୟ ଅଧାପନ୍ତରିଆ ଘରକୁ ଯନ୍ତ୍ରୀ ଜଣକ ସମ୍ପୁର୍ଣ୍ଣ ବିଲ କରି ଟଙ୍କା ଉଠାଇନେଲେ । ମେଜରମେଣ୍ଟ ବହି ନମ୍ବର ୩୮ର ୧୦୮ପୃଷ୍ଠାରେ କନିଷ୍ଠଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତରେ ଏହାର ଫାଇନାଲ ବିଲ କରାଯାଇଛି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବାପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭୟରେ ଯନ୍ତ୍ରୀ ଜଣକୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଆଜି ମୁକୁଳା ଘରର ଛାତ ପକାଇବା ପାଇଁ ରଡବନ୍ଧା କାମ ଚାଲିଥିବା ଦେଖିବାକୁ ମିଳିଛି । ଯଦି ଏବେ ଛାତ ପକାଇବା କାର୍ଯ୍ୟ ଆରମ୍ଭ ହେଲା ତେବେ ପୁର୍ବରୁ ହେଉ ନଥିଲା କାହିଁକି ବୋଲି କିଛି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ସେହି ଗ୍ରାମର ପୁର୍ବତନ ସରପଞ୍ଚ ଶ୍ରୀରାମ ଦାସ କହିଥିଲେ ଯେ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ, ଯନ୍ତ୍ରୀ କରୁଥିଲେ କାମ, ସେବି କରିଛନ୍ତି ବିଲ୍ ଓ ଟଙ୍କା ମଧ୍ୟ ତାଙ୍କ ଏକାଉଣ୍ଟକୁ ଯାଇଛି । କିନ୍ତୁ ଆଜି ଆରମ୍ଭ ହୋଇଥିବା ଏହି ଛାତ ପକା କାମକୁ କିଏ ଓ କିପରି କଲା ବୋଲି ପ୍ରଶ୍ନ ଉଠିଛି । କେନ୍ଦୁଝର ଜିଲ୍ଲାପାଳ ଏପରି ଦୁନ୍ନୀତିଗ୍ରସ୍ଥ କନିଷ୍ଠଯନ୍ତ୍ରୀ, ସହକାରୀଯନ୍ତ୍ରୀ ଓ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।


