ଜଙ୍ଗଲୀ ବାରହା ଆକ୍ରମଣରେ ଚାରି ଗୁରୁତର
ବେଲଗୁଣ୍ଠା , (ସନ୍ତୋଷ ବିଷୋୟୀ): ବିଭିନ୍ନ କରଣରୁ ଜଙ୍ଗଲ ନଷ୍ଟ ହୋଇଯିବା ଯୋଗୁଁ ବହୁ ସମୟରେ ଜଙ୍ଗଲୀ ଜନ୍ତୁ ମାନେ ଜନ ବସତି ଅଞ୍ଚଳକୁ ଚାଲି ଆସନ୍ତି I ସେହିପରି ଚଳିତ ଗ୍ରୀଷ୍ମଋତୁ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଏହି ଜଙ୍ଗଲର ବଣ୍ୟ ଜନ୍ତୁ ତଥା ବାରହା, ଭାଲୁ, ଗୟଳ,ହାତୀ ମାନେ ଜୀବନ ବଞ୍ଚାଇବାକୁ ଯାଇ ଏଣେ ତେଣେ ଘୁରି ବୁଲିବା ସହ ନିକଟସ୍ଥ ଗ୍ରାମ ଗୁଡ଼ିକ ମଧ୍ୟରେ ପଶି ଯିବାର ନଜିର ରହିଛି I ଯାହା ଫଳରେ ବ୍ୟାପକ ଫସଲ ନଷ୍ଟ ହେବା ସହ ସେମାନଙ୍କ ଆକ୍ରମଣରେ ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରୁଛନ୍ତି। ସୂଚନା ପ୍ରକାରେ ଆଜି ସକାଳ ସାଢେ଼ ୭ଟା ସମୟରେ ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ପଞ୍ଚାୟତ ଅଧିନସ୍ଥ ବାଘୁଆପଲ୍ଲୀ ଗ୍ରାମର ବଡ଼ ସାହିରେ ବାରହା କାମୁଡ଼ାରେ ୩ଜଣ ମହିଳା ଓ ଜଣେ ବୃଦ୍ଧ ଖଣ୍ଡିଆ ଖାବରା ହୋଇ ଗୁରୁତର ଆହତ ହୋଇଛନ୍ତି। ଏହି ଗ୍ରାମର କବି ଗୌଡ଼ (୬୦),ଅହଲ୍ୟା ଗୌଡ଼(୫୫),ସବିତା ଗୌଡ଼(୪୩) ଓ ଭାଗ୍ୟ ନାୟକ(୬୦) ନିଜ ଘର ବାଡ଼ି ପଟେ କାମ କରୁଥିବା ବେଳେ ହାଠାତ୍ ଏକ ବାରହା ଆସି ସେମାନଙ୍କୁ ଜଣଙ୍କ ପରେ ଜଣଙ୍କୁ କାମୁଡ଼ି ପକେଇଥିଲା।ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଗ୍ରାମବାସୀମାନେ ଚାଲି ଆସିବାରୁ ବାରହାଟି ସେମାନଙ୍କୁ ଛାଡ଼ି ନିକଟ ଜଙ୍ଗଲକୁ ଦୌଡ଼ି ପଳେଇଥିଲା।ଆହତ ମାନଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଥାଉକି କିଛି ଦିନ ତଳେ ବୁଢାକେନ୍ଦୁ ରାସ୍ତାରେ ବାରହା ଆକ୍ରମଣରେ କୁଲାଙ୍ଗୀ ଗ୍ରାମର ତିନି ଜଣ ଆହତ ହୋଇଥିବା ବେଳେ କେ.ନୂଆଁଗଡ଼ ଗ୍ରାମର ଜଣଙ୍କ ଘରେ ବାରହା ପଶି ଯାଇଥିବାର ଖବର ପ୍ରକାଶ ପାଇଥିଲା I ସେହିପରି ଗତ ମାର୍ଚ୍ଚ ତିରିଶ ତାରିଖରେ ବୋରି ଗ୍ରାମର ଜଣେ ବାଇକ୍ ଆରୋହୀ ଯୁବକ ମଧ୍ୟ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ଜଙ୍ଗଲୀ ଗୟଳ ହାବୁଡରେ ପଡି ଗୁରୁତର ଆହତ ହୋଇଥିଲେ I ଆଜିର ବାରହା ଆକ୍ରମଣ ଘଟଣା ପରେ ଗଣ ମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇଁ ଗାଙ୍ଗପୁର ବନପାଳ ଜି.ଭେଙ୍କଟ ରାଓ ଦୋରା ସଦଳବଳେ ଭଞ୍ଜନଗର ମେଡିକାଲରେ ପହଞ୍ଚି ଆହତ ମାନଙ୍କୁ ସମବେଦନା ଜଣାଇବା ସହିତ ସରକାରୀ ନିୟମାବଳୀ ଭିତରେ ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ I ଶ୍ରୀ ଦୋରା ଆହତଙ୍କ ନିକଟରେ ତୁରନ୍ତ ପହଞ୍ଚି ସାହାଯ୍ୟ ପାଇଁ ପ୍ରତିଶୃ୍ତି ଦେଇଥିବାରୁ ଆହତଙ୍କ ପରିବାର ସଦସ୍ୟମାନେ ବନପାଳ ଶ୍ରୀ ଦୋରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I


