ଜନ୍ମ କରି ୭ ଦିନ ପରେ ଆରପାରିକି ଚାଲିଗଲା ମାଆ
ମୋହନା, (ଅଂଶୁମାନ ପଣ୍ଡା):ଜନ୍ମ କରି ମାତ୍ର ୭ ଦିନ ପରେ ଶିଶୁ ପୁତ୍ରକୁ ଛାଡି ଆରପାରିକି ଚାଲିଗଲା ମାଆ । ମାଆର ମମତାକୁ ବୁଝିବା ଆଗରୁ ସବୁ ଦିନ ପାଇଁ ଶିଶୁ ପୁତ୍ରକୁ ପର କରିଦେଇ ଚାଲିଗଲା ମାଆ। ହେଲେ ଶିଶୁର ଯତ୍ନ ଓ ଲାଳନ ପାଳନ କରିବା ବାପା ଉତମ ପାଇଁ ସମ୍ଭବ ନ ଥିବା ବେଳେ ଶିଶୁ ପୁତ୍ରର ଯତ୍ନ ଓ ଲାଳନ ପାଳନ ପାଇଁ ସରକାରଙ୍କ ବ୍ୟବସ୍ଥା ଗ୍ରହଣ କରିବାକୁ ଗୁହାରି କରିଛି ଅସହାୟ ବାପା ଗଜପତି ଜିଲ୍ଲା ମୋହନା ବ୍ଲକ ମଳସପଦର ପଂଚାୟତ ଦୁର୍ଗମ ଯାମଲିଙ୍ଗ ଗାଁର ଉତମ ମଲ୍ଲିକ। ଉତମ ଜଣେ ଆଦିବାସୀ ଯୁବକ। ବୟସ ମାତ୍ର ୨୨ ବର୍ଷ । ଲୁହାଗୁଡି ପଞ୍ଚାୟତ ଛତାଭରି ଗାଁର କବିତା ମଲ୍ଲିକକୁ ସାତ ଜନମର ସାଥି ପାଇଁ ବିବାହ କରିଥିଲେ। ହେଲେ, ବିଧିର ବିଧାନ ଥିଲା କିଛି ଅଲଗା। ଵିଵାହର ବର୍ଷେ ପରେ ଅର୍ଥାତ ଗତ ମାସ ୨୯ ତାରିଖରେ ଡେଙ୍ଗାଓସ୍ତା ମେଡିକାଲରେ କବିତା ମଲ୍ଲିକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ପ୍ରସବ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିବାରେ ଲାଗିଥିଲା। ସ୍ୱାସ୍ଥ୍ୟବସ୍ତା ଖରାପ ହେବାରୁ ପରିବାର ଲୋକେ କବିତାକୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତି କରିଥିଲେ। ଦୁଇ ଦିନ ମେଡିକାଲରେ ଚିକିତ୍ସା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ । କିନ୍ତୁ ଘରକୁ ଆଣିବା ପରେ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ପତ୍ନୀ କବିତାର ମୃତ୍ୟୁ ପରେ ସ୍ୱାମୀ ଉତମ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି। ମାତ୍ର ୮ ଦିନର ଶିଶୁ ପୁତ୍ରର ଲାଳନ ପାଳନ କରିବା ଏତେ କମ ବୟସରେ ଉତମ ପାଇଁ ସମ୍ଭବ ନ ଥିବା ବେଳେ ଏବେ ସରକାରଙ୍କ ତରଫରୁ ଶିଶୁ ପୁତ୍ରକୁ ସୁରକ୍ଷା ଓ ଲାଳନ ପାଳନ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛି ବାପା । ମାଆ ଚାଲିଯିବା ମାତ୍ର ୮ ଦିନର ଶିଶୁ ପୁତ୍ରର ଅବସ୍ଥାରେ ଦେଖି ଗ୍ରାମବାସୀ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଶିଶୁକୁ ଉଦ୍ଧାର କରି ଯତ୍ନ ଓ ଲାଳନ ପାଳନ ବ୍ୟବସ୍ତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ୱାଡ଼ ମେମ୍ବର ସୁନିତା ମଲ୍ଲିକ ଦାବୀ କରିଛନ୍ତି


