ଜନ ପ୍ରତିନିଧିଙ୍କ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ : ବିଦ୍ୟାଳୟ ସର୍ବାଙ୍ଗୀନ ଉନ୍ନତି ପାଇଁ ଦେଲେ ପ୍ରତିଶୃ୍ତି

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟକୁ ସ୍ଥାନୀୟ ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ ଏବଂ ସମିତିସଭ୍ୟ ପରିଦର୍ଶନରେ ଆସି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶୃ୍ତି ଦେଇଛନ୍ତି I ସୂଚନା ପ୍ରକାରେ ଆଜି ସକାଳ ନଅ ଘଣ୍ଟା ତିରିଶ୍ ମିନଟ୍ ସମୟରେ ଝାଡ଼ବନ୍ଧ ପଞ୍ଚାୟତ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ,ସମିତିସଭ୍ୟ ନାରାୟଣ ଗୌଡ଼ ଏବଂ 29 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା I ଏହାପରେ ତିନି ଜନପ୍ରତିନିଧି ବିଦ୍ୟାଳୟର ଭିତ୍ତିଭୂମି ବୁଲି ଦେଖିବା ସହ ଶିକ୍ଷକ ମାନଙ୍କର ଶିକ୍ଷା ଦାନ ଶୈଳୀ , ପରୀକ୍ଷା ପରିଚାଳନା ଏବଂ ବିଦ୍ୟାଳୟର ସମସ୍ୟା ଗୁଡ଼ିକ ଉପରେ ଅବଗତ ହୋଇଥିଲେ I ଏହା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ସେମାନଙ୍କର ପାଠପଢ଼ା ଏବଂ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ I ବିଦ୍ୟାଳୟଟି ଜଙ୍ଗଲ ନିକଟରେ ରହିଥିବା ବେଳେ ଏହାର ପାଚେରୀ ନଥିବା ଯୋଗୁଁ ବହୁ ସମୟରେ ବୁଲା ଗାଈ ଗୋରୁ ଏପରିକି ବେଳେ ବେଳେ ହିଂସ୍ର ଜନ୍ତୁ ମଧ୍ୟ ପଶି ଯାଉଥିବା ଜାଣିବାକୁ ପାଇଥିଲେ I ସେହିପରି ଛାତ୍ରୀମାନଙ୍କ ପାଇଁ ଶୌଚାଳୟ ନଥିବାରୁ ଛାତ୍ରୀମାନେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅନୁଭବ କରିଥିଲେ ପରିଦର୍ଶନରେ ଥିବା ତିନି ଜନ ପ୍ରତିନିଧି I ଏଣୁ ଏସବୁ ସମ୍ପର୍କରେ ଆଲୋଚନା କରି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟାଳୟ ସମ୍ମୁଖ ଫାଟକର ନବୀକରଣ, ଅସମ୍ପୂର୍ଣ୍ଣ ପାଚେରୀର ସମ୍ପୂର୍ଣ୍ଣ ନିର୍ମାଣ, ବାଳିକା ଶୌଚାଳୟ ନିର୍ମାଣ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଟେବୁଲ୍ ଚୌକି ଯୋଗାଣ ନିମନ୍ତେ ପ୍ରତିଶୃ୍ତି ପ୍ରଦାନ କରିଥିଲେ I ତିନି ଜନ ପ୍ରତିନିଧିଙ୍କ ଶ୍ରୀ ଗରୁଡ଼େଶ୍ୱର ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ,ସମାଜସେବୀ ରତ୍ନାକର ପ୍ରଧାନ, ଆକୁଳ ସ୍ଵାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I ପରିଦର୍ଶନ ସମୟରେ ତିନି ଜନ ପ୍ରତିନିଧି ବିଦ୍ୟାଳୟ ପରିଚାଳନା କମିଟି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ, ବିଦ୍ୟାଳୟ ଉନ୍ନତି ପାଇଁ ସେମାନଙ୍କର ଶୃଙ୍ଖଳିତ ପ୍ରଚେ଼ଷ୍ଟା ଏବଂ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ବ୍ୟବହାରକୁ ଉଚ୍ଚ ପ୍ରଶଂସା କରିଥିଲେ I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ