ଜନ ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି : ଟାଙ୍କି ଅଛି ପାଣି ନାହିଁ, ଜଳ ସମସ୍ୟା ଉତ୍କଟ

ବୁଗୁଡା (ଅନିଲ କୁମାର ) : ବୁଗୁଡ଼ା ୨ନଂ ଓ ୩ନଂ ୱାର୍ଡରେ ଉତ୍କଟ ପାଣି ସମସ୍ୟା ଦେଖାଦେଇଛି। ପାଣି ଯୋଗାଇବା ପାଇଁ ଦଶ ଦିନ ହେଲା ଏକ ବଡ଼ ଫାଇବର୍ ଟାଙ୍କି ଆଣି ଥୋଇଛି ଜନ ସ୍ଵାସ୍ଥ୍ୟ ବିଭାଗ କିନ୍ତୁ ଟାଙ୍କି ରେ ପାଣି ରଖାଯାଉନି। ଖାଲି ଟାଙ୍କି ଦେଖି ଦେଖି ଲୋକେ ନୟାନ୍ତ। ଏନଏସି କର୍ତ୍ତୃପକ୍ଷଙ୍କୁ ଗୁହାରି କଲେ କହୁଛନ୍ତି ପାଣି ଯୋଗାଣ ଦାୟିତ୍ବ ଜନ ‌ସ୍ୱାସ୍ଥ୍ୟ ବିଭାଗ ହାତରେ ଆମେ କିଛି କରିପାରିବୁ ନାହିଁ। ଜନ ସ୍ଵାସ୍ଥ୍ୟ ବିଭାଗର ବୁଗୁଡ଼ା ଏନଏସି ଦାୟି‌ତ୍ୱ ରେ ଥିବା ଜେଇ ଅତିରିକ୍ତ ଭାବେ କୋଦଳା ଏନଏସି ର ଦାୟି‌ତ୍ୱ ରେ ଥିବାରୁ କଙ୍କଡାକୁ ଗୋଲିଆ ପାଣି ସୁହାଇବା ପ୍ରକାରେ ବୁଗୁଡ଼ାରେ ଜନ‌ସ୍ୱାସ୍ଥ୍ୟ ବିଭାଗ ଜେଇଙ୍କ ଭଲଭାବେ ଦେଖା ମିଳୁନି। ଲୋକେ ଗୁହାରି କରିବେ କାହାକୁ ! ସେ ଦୁଇଟି ଏନଏସିର ଦାୟି‌ତ୍ୱ  ତୁଲାଇବାରେ ଅକ୍ଷମ, ଏହା ନିରାଟ ସତ୍ୟ। ଦୀର୍ଘ ଦେଢ଼ ମାସ ହେଲା ବୁଗୁଡ଼ା ଏନଏସି ର ବିଭିନ୍ନ ୱାର୍ଡରେ ପାଣି ସମସ୍ୟା ଥିବାବେଳେ ୨ନଂ ଓ ୩ନଂ ୱାର୍ଡରେ ପିଇବା ପାଣି ସମସ୍ୟା ଉତ୍କଟ ହୋଇଛି। ଏହି ଦୁଇଟି ୱାର୍ଡରେ ୧୨ ଟି ବଡ଼ ସାହି ରହିଥିବା ବେଳେ ପାଣି ପାଇଁ ଆଜିଠୁ ଡହଳ ବିକଳ ହେଉଛନ୍ତି ଲୋକେ। ପୂର୍ବ ବର୍ଷ ମାନଙ୍କରେ ଏହି ସାହି ଗୁଡିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହେଉଥିଲା। ମାତ୍ର ଚଳିତବର୍ଷ ଜଳ ସମସ୍ୟା ବର୍ତ୍ତମାନ ଠାରୁ ଦେଖାଦେଇଥିବା ବେଳେ ଜନ ‌ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଳି ଟାଙ୍କି ଗୁଡିକ ରଖି ଚୁପ୍ ରହିବା ଯୋଗୁଁ ଲୋକମାନେ ପାଣି ପାଇଁ ହଟହଟା ହେଉଛନ୍ତି। ଦୀର୍ଘ ଦିନ ହେଲା ବର୍ଷା ନହେବା ଯୋଗୁଁ ଶୁଖିଗଲାନି ନଈ,କୂଅ ଓ ପୋଖରୀ। ଏବେ କେବଳ ଜନ ‌ସ୍ୱାସ୍ଥ୍ୟ ବିଭାଗ ହିଁ ଭରସା ହୋଇଥିବା ବେଳେ ବିଭାଗୀୟ ଅବହେଳା ଚରମ ସୀମାରେ ପହଞ୍ଚିଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଜନ‌ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ