ଜବରଦଖଲକାରୀଙ୍କ କବଜାରେ ଗ୍ରାମ୍ୟ ରାସ୍ତା

ନାଉଗାଁ,(ଓ୍ବାଇଏନ୍ଏସ୍): ସରକାର ରାସ୍ତାଘାଟ ସ୍ୱଛ ଓ ପରିଷ୍କାର ରଖିବା ପାଇଁ ସ୍ୱଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ କିଛି ଅମାନିଆ ବ୍ୟକ୍ତିଙ୍କ ପାଇଁ ଏହି ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଓଷକଣା ପଂଚାୟତ ଭଟଣା ଗ୍ରାମରେ । ଏହି ଗ୍ରାମର ଜୈନିକ ବ୍ୟକ୍ତି ଗ୍ରାମ୍ୟ ରାସ୍ତାକୁ ଜବରଦଖଲ କରି ରାସ୍ତାରେ ଅଳିଆ ଆବର୍ଜନା ପକାଇବାକୁ ନେଇ ଉକ୍ତ ଗ୍ରାମର ତପୋଧନ ସ୍ୱାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଭଟଣା ଗ୍ରାମର ତପୋଧନ ସ୍ୱାଇଁଙ୍କ ଘର ସମ୍ମୁଖରେ ଯାଇଥିବା ସରକାରୀ ରାସ୍ତାରେ ସେହି ଗ୍ରାମର ବିଜୟ କୁମାର ମୁଦୁଲି ଜବରଦଖଲ କରିବା ସହିତ ରାସ୍ତାରେ ସମସ୍ତ ପ୍ରକାର ଅଳିଆ ଆର୍ବଜନା ପକାଇ ରାସ୍ତାକୁ ଅବରୋଧ କରି ରଖିଛି । ଏପରିକି ରାସ୍ତାରେ ଗୋବର ଗଦା କରିଥିବାରୁ ରାସ୍ତାରେ ଯାତାୟାତ ସମ୍ଭବ ହୋଇପାରୁନାହିଁ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପଟରେ ଉକ୍ତ ଅଭିଯୋଗକୁ ଜିଲ୍ଲାପାଳ ନାଉଗାଁ ତହସିଲଦାରଙ୍କ ନିକଟକୁ ପଠାଇବା ପରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଡେରିକି ସର୍କଲର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଁଚି ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରି ରିପୋର୍ଟକୁ ଦାଖଲ କରାଯାଇଥିବା ଜଣାଯାଇଛି । ଏସଂର୍ପକରେ ନାଉଗାଁ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯାଇଛି । ଖୁବ ଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ