ଜାତିଆଣ ଓ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବରଗଡ଼ ଜିଲ୍ଲାର ଗୋଡ଼ଭଗା ଓ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଜାତିଆଣ ଓ ସାମ୍ପ୍ରଦାୟିକ ହିଂସାର ପ୍ରତିବାଦରେ ଭୁବନେଶ୍ୱରସ୍ଥିତ ନାଗଭୂଷଣ ଭବନଠାରେ ଏକ ମିଳିତ ପ୍ରତିବାଦ ସଭାରେ ରାଜନୈତିକ ଦଳ, ଗଣସଂଗଠନ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି । ଗତ ଏପ୍ରିଲ ୧୪ ତାରିଖରେ ବରଗଡ଼ ଜିଲ୍ଲାରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ସମାବେଶରେ ଯୋଗ ଦେଇଥିବା ଆୟୋଜନକାରୀ ମାନଙ୍କ ଉପରେ ବଜରଙ୍ଗ ଦଳ ଦ୍ୱାରା ହିଂସାତ୍ମକ ଆକ୍ରମଣ ଓ ଆମ୍ବେଦକରଙ୍କ ଫଟୋଚିତ୍ରକୁ ଅବମାନନା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ ପୋଲିସ୍ ପ୍ରଶାସନ କୌଣସି ପଦକ୍ଷେପ ନନେବା ଓ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଥିବାରୁ ଏହି ସଭାରେ ଘୋର ନିନ୍ଦା କରାଯାଇଥିଲା । ରାଜ୍ୟରେ ଘଟୁଥିବା ଜାତିଆଣ, ସାମ୍ପ୍ରଦାୟିକ ହିଂସା ଓ ନିର୍ଯ୍ୟାତନା ଘଟଣାଗୁଡ଼ିକ ଆମର ସାମ୍ବିଧାନିକ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଗଣତାନ୍ତ୍ରିକ ଓ ମାନବବାଦୀ ତଥା ଧର୍ମନିରପେକ୍ଷ ବିଚାରାଧାରାରେ ବିଶ୍ୱାସୀ ଜନଗଣ ଓ ସଂଗଠନମାନେ ମିଳିତଭାବେ ସମାଜରେ ସଦ୍ଭାବନା ଓ ଭାଇଚାରା ପ୍ରତିଷ୍ଠା ପାଇଁ ସାମୂହିକ ଭାବେ ଉଦ୍ୟମ କରିବାକୁ ସଭାରେ ମତପ୍ରକାଶ ପାଇଥିଲା । ଏ ଦିଗରେ ରାଜ୍ୟ ସରକାର ସମ୍ବିଧାନ ଓ ତତ୍ତ୍ୱାମାନଙ୍କୁ ଦୃଢଭାବରେ ଦମନ କରିବାକୁ ଦାବି କରାଯାଇଛି । ସାମାଜିକ କର୍ମୀ ଓ ସ୍ତମ୍ଭକାର ମାନସ ଜେନା ଓ ମାନବିକ ଅଧିକାର କର୍ମୀ ମଧୁସୂଦନ ସେଠୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସିପିଆଇ (ଏମ୍)ର ସନ୍ତୋଷ ଦାଶ, ସିପିଆଇ (ଏମ୍ଏଲ୍)ର ଯୁଧିଷ୍ଠିର ମହାପାତ୍ର, ଏନ୍ସିପିର ବିକ୍ରମ ସ୍ୱାଇଁ, ସିପିଆଇଏମ୍ଏଲ୍ (ରେଡ଼ଷ୍ଟାର)ର ପ୍ରମିଳା ବେହେରା, ସାମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଆମ୍ବେଦକର ଲୋହିଆ ବିଚାରମଞ୍ଚର ସଂଗ୍ରାମ ମଲ୍ଲିକ, ମଳନିବାସୀ ସମତା ପରିଷଦର ଅଭିରାମ ମଲ୍ଲିକ, ଓଡ଼ିଶା ଦଳିତ ଅଧିକାର ମଞ୍ଚର ରାଜେଶ କୁମାର ଜେନା, ରାଷ୍ଟ୍ରୀୟ ଯୁବ ସଂଗଠନର ମାନସ ପଟ୍ଟନାୟକ, ଓଡ଼ିଶା ବହୁଜନ ସାମ୍ମୁଖ୍ୟର ତରଣୀସେନ ନାୟକ, ନାରାୟଣ ନେଠୀ, ସମଦୃଷ୍ଟିର ସମ୍ପାଦକ ସୁଧିର ପଟ୍ଟନାୟକ, ଅକ୍ଷରର ସମ୍ପାଦକ ଅମିୟ ପାଣ୍ଡବ, ଏଆଇପିଏଫ୍ର ରାଧାକାନ୍ତ ସେଠି, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା, ମାନବିକ ଅଧିକାରର ପ୍ରବକ୍ତା ଆଡ଼ଭୋକେଟ ବିଶ୍ୱପ୍ରିୟ କାନୁନଗୋ, ଶ୍ରୀମନ୍ତ ମହାନ୍ତି, ନରେନ୍ଦ୍ର ମହାନ୍ତି, ମହମ୍ମଦ ସୁକ୍ରୁ, ଶେଖ ତନବୀର, ସରିତା ବଡ଼ପଣ୍ଡା, ଡ. ରମେଶ ବେହେରା ଓ ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶାରେ ରାଜ୍ୟବ୍ୟାପୀ ଜାତିପ୍ରଥା ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ଏକ ଅଭିଯାନ ଚଳାଇ ରଖିବା ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା ।


